ନୂଆପଡ଼ା, (ଓଡ଼ିଶ୍ରୀ ସମ୍ବାଦ): ଶ୍ରମିକ ଚାଲାଣ, ବେଆଇନ ଅଟକ, ମାଡ଼ ମାରିବା, ଧମକ ଦେବା ଓ ଶ୍ରମିକଙ୍କୁ ଶୋଷଣ କରିବା ଅଭିଯୋଗରେ ନୂଆପଡ଼ା ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶର ଇଟାଭାଟିରେ କାମ ଦେବାର ପ୍ରଲୋଭନ ଦେଖାଇ ଗରିବ ପରିବାରର ଲୋକଙ୍କୁ ଶ୍ରମିକ ଭାବେ ପଠାଯାଉଥିବା ନେଇ ଅଭିଯୋଗ ହୋଇଥିଲା।
ଅଭିଯୋଗ ଅନୁଯାୟୀ, କିଛି ଶ୍ରମିକ ସର୍ଦ୍ଦାର ୨୦୨୧ ମସିହାରୁ ଗରିବ ଓ ଅସହାୟ ପରିବାରଙ୍କୁ ଅଗ୍ରିମ ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଉତ୍ତରପ୍ରଦେଶର ଇଟାଭାଟିକୁ କାମ କରିବା ପାଇଁ ପଠାଉଥିଲେ। ଅଭିଯୋଗକାରୀଙ୍କ କହିବା ଅନୁସାରେ, ତାଙ୍କ ବାପା ଓ ପରିବାରର ଅନ୍ୟ ସଦସ୍ୟମାନେ ଇଟାଭାଟିରେ ଅମାନବୀୟ ପରିସ୍ଥିତିରେ କାମ କରିବା ସହ ସ୍ୱାଧୀନ ଭାବେ ଯାତାୟାତ କରିବାରୁ ବଞ୍ଚିତ ହୋଇଥିଲେ। ସେମାନେ ଶୋଷଣର ଶିକାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।
ଅଭିଯୋଗରେ ଆହୁରି କୁହାଯାଇଛି ଯେ, ୨୦୨୪ ମସିହା ସେପ୍ଟେମ୍ବରରେ ଅଭିଯୋଗକାରୀଙ୍କ ବାପା ଓ ବଡ଼ ଭାଇଙ୍କୁ ଜୋରଜବରଦସ୍ତି ବାରକୋଠି ଗ୍ରାମକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ମାଡ଼ ମରାଯିବା ସହ ଟଙ୍କା ଫେରସ୍ତ କରିବାକୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏଥିସହ ଇଟାଭାଟିକୁ କାମ କରିବାକୁ ନଯିବା ପାଇଁ ପରିବାର ପକ୍ଷରୁ ମନା କରାଯିବାରୁ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗ ରହିଛି।
ଘଟଣାର ତଦନ୍ତ ସମୟରେ ପୁଲିସ ସାକ୍ଷୀମାନଙ୍କୁ ପଚରାଉଚରା କରିବା ସହ ଘଟଣାସ୍ଥଳ ପରିଦର୍ଶନ କରି ବିଭିନ୍ନ ପ୍ରମାଣ ସଂଗ୍ରହ କରିଥିଲା। ଏହାପରେ ୧୭ ଅକ୍ଟୋବର ୨୦୨୬ରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଗୋଲୁ ଓରଫ ନୀଳକମଳ ଚନ୍ଦ୍ରାକର (୩୮), ମୁଲଚନ୍ଦ ସାବର (୩୫) ଓ ସନୋଜ ଲୋହାର (୩୪)। ଏମାନେ ନୂଆପଡ଼ା ଜିଲ୍ଲାର ବେଲଟୁକୁରୀ ଓ ପଣ୍ଡ୍ରରିପାଣି ଅଞ୍ଚଳର ବାସିନ୍ଦା ବୋଲି ଉଲ୍ଲେଖ ରହିଛି। ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ତେଣ୍ଡୁକାନାର ସନ୍ତୋଷ ଅଗ୍ରୱାଲ (୪୨) ଏବଂ ବସନାର ଅନୁପ ଅଗ୍ରୱାଲ (୪୭)।
ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ନିୟନ୍ତ୍ରଣ ଓ ସେବା ସର୍ତ୍ତାବଳୀ) ଆଇନ, ୧୯୭୯ର ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି।
