ଭଣ୍ଡାରିପୋଖରୀ, (ଓଡ଼ିଶ୍ରୀ ସମ୍ବାଦ): ଘରୋଇ ବିବାଦକୁ କେନ୍ଦ୍ର କରି ଶ୍ୱଶୁର ଘର ସମ୍ମୁଖରେ ନିଆଁ ଲଗାଇବା ଅଭିଯୋଗ ହୋଇଛି। ଏନେଇ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପର୍ବତୀ ଗ୍ରାମର ମଞ୍ଜୁଲତା ସାମଲ ନିଜ ଜ୍ୱାଇଁ ବଦ୍ରୀନାରାୟଣ ବ୍ରହ୍ମାଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଯାଜପୁର ଜିଲ୍ଲା ବରୁହାଁ ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମର ବଦ୍ରୀନାରାୟଣ ବ୍ରହ୍ମାଙ୍କ ସହ ମଞ୍ଜୁଲତାଙ୍କ ଝିଅ ପୁଷ୍ପାରାଣୀଙ୍କ ବିବାହ ପ୍ରାୟ ୮ ବର୍ଷ ପୂର୍ବେ ବୈଦିକ ରୀତିନୀତି ଅନୁସାରେ ହୋଇଥିଲା। ତେବେ ଶାଶୂଘର ଲୋକଙ୍କ ପକ୍ଷରୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରି ପୁଷ୍ପାରାଣୀ ଗତ ୩ ବର୍ଷ ହେବ ବାପଘରେ ରହୁଛନ୍ତି। ଏହାକୁ ନେଇ ଶାଶୂଘର ସହ ତାଙ୍କର ମାମଲା ଚାଲିଥିବା ଜଣାପଡ଼ିଛି।
ଅଭିଯୋଗରେ ଦର୍ଶାଯାଇଛି ଯେ, ଗତ ୧୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବଦ୍ରୀନାରାୟଣ ପର୍ବତୀ ଗ୍ରାମକୁ ଆସି ମାମଲା ଉଠାଇ ନେବାକୁ ଶ୍ୱଶୁରଘର ଲୋକଙ୍କୁ କହିଥିଲେ। ମାମଲା ଉଠାଇ ନନେଲେ ଘର ଜାଳିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।
ସେହି ରାତି ପ୍ରାୟ ୨ଟା ସମୟରେ ପଡ଼ୋଶୀମାନେ ମଞ୍ଜୁଲତାଙ୍କ ଘର ସମ୍ମୁଖରେ ଥିବା ପଲିଥିନ୍ ଜଳୁଥିବା ଦେଖି ତାଙ୍କୁ ଡାକିଥିଲେ। ଏହି ଘଟଣାରେ ପଲିଥିନ୍ ସମ୍ପୂର୍ଣ୍ଣ ଜଳିଯିବା ସହ ଗୋଟିଏ ବାଇକ୍ ମଧ୍ୟ ପୋଡ଼ିଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି।
ଘଟଣା ସମ୍ପର୍କରେ ମଞ୍ଜୁଲତା ୧୩ ତାରିଖରେ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ। ଏହା ଆଧାରରେ ଗତ ୧୬ ତାରିଖ ଶୁକ୍ରବାର ରାତିରେ ଥାନାରେ ୫୦୯/୨୬ ନମ୍ବରରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଘଟଣାରେ ପୁଲିସର ପରବର୍ତ୍ତୀ ତଦନ୍ତ ସମ୍ପର୍କିତ ସୂଚନା ମିଳିନାହିଁ।
