ରେଢ଼ାଖୋଲ, (ଓଡ଼ିଶ୍ରୀ ସମ୍ବାଦ): ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡରେ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଏକ ଗୃହକୁ କାର୍ଯ୍ୟକ୍ଷମ କରିବା ଦାବି ଜୋର ଧରିଛି। ଏନେଇ ଅଞ୍ଚଳବାସୀ ରେଢ଼ାଖୋଲ ଉପଜିଲ୍ଲାପାଳ ଆଇଏଏସ୍ ପବନ କୁମାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ, ରେଢ଼ାଖୋଲ ଏନ୍ଏସିର ୪ ନମ୍ବର ୱାର୍ଡ ନୂଆସାହିଠାରେ ୨୦୧୯ ମସିହାରେ ଏକ ନୂତନ ଗୃହ ନିର୍ମାଣ କରାଯାଇଥିଲା। ମାତ୍ର ଦୀର୍ଘଦିନ ଧରି ଏହା କାର୍ଯ୍ୟକ୍ଷମ ହୋଇନଥିବାରୁ ଗୃହଟିର ଉପଯୁକ୍ତ ବ୍ୟବହାର ହୋଇପାରୁନାହିଁ। ଏହାର ସୁଯୋଗ ନେଇ ଗୃହଟି ଅସାମାଜିକ କାର୍ଯ୍ୟକଳାପ ଓ ମଦ୍ୟପଙ୍କ ଆଡ଼ାସ୍ଥଳୀ ପାଲଟିଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଅଞ୍ଚଳର ବରିଷ୍ଠ ନାଗରିକଙ୍କ ସୁବିଧା, ସୁରକ୍ଷା ଓ ସାମାଜିକ ମିଳାମିଶାକୁ ଦୃଷ୍ଟିରେ ରଖି ଉକ୍ତ ଗୃହକୁ ବରିଷ୍ଠ ନାଗରିକ ଗୃହ ଭାବେ କାର୍ଯ୍ୟକ୍ଷମ କରାଗଲେ ଏହା ବେଶ୍ ଉପଯୋଗୀ ହୋଇପାରିବ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି।
ତେଣୁ ପ୍ରଶାସନ ଏହି ଦାବି ପ୍ରତି ଗୁରୁତ୍ୱ ଦେଇ ଗୃହର ଆବଶ୍ୟକ ମରାମତି, ରକ୍ଷଣାବେକ୍ଷଣ ଓ ପରିଚାଳନା ବ୍ୟବସ୍ଥା କରି ଏହାକୁ ଶୀଘ୍ର ବରିଷ୍ଠ ନାଗରିକ ଗୃହ ଭାବେ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି।
