• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାତ୍ୟା ଭୟରେ ଚାଷୀଙ୍କୁ ଘାରିଛି ଚିନ୍ତା, ବିଲ ମୁଣ୍ଡରେ କମ୍ ଦାମରେ ଧାନ କିଣୁଛନ୍ତି ବ୍ୟବସାୟୀ!

Byodishri Live

Oct 26, 2026

ବରୀ, (ଓଡ଼ିଶ୍ରୀ ସମ୍ବାଦ): ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ବରୀ ଅଞ୍ଚଳର ଧାନ ଚାଷୀ। ଅମଳ ଧାନକୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ଏଭଳି ପରିସ୍ଥିତିରେ କିଛି ଧାନ ବ୍ୟବସାୟୀ ଚାଷୀଙ୍କ ଅସୁବିଧାର ସୁଯୋଗ ନେଇ କମ୍ ଦାମରେ ଧାନ କିଣୁଥିବା ଅଭିଯୋଗ ହୋଇଛି।

ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ମିଳିବା ପରେ ଚାଷୀମାନେ ଶୀଘ୍ର ଧାନ ଅମଳ କରିବାକୁ ଲାଗିପଡ଼ିଛନ୍ତି। ହେଲେ ଅମଳ ଧାନକୁ ରଖିବା ପାଇଁ ଆବଶ୍ୟକ ସ୍ଥାନ ଓ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଅନେକ ଚାଷୀ ଅସୁବିଧାରେ ପଡ଼ିଛନ୍ତି। ଏହାର ସୁଯୋଗ ନେଇ କିଛି ବ୍ୟବସାୟୀ ଓଜନକଣ୍ଟା ଓ ଗାଡ଼ି ଧରି ବିଲ ନିକଟରେ ପହଞ୍ଚି ଧାନ କିଣୁଥିବା ଅଭିଯୋଗ ହୋଇଛି।

ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ସରକାରୀ ମଣ୍ଡିରେ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ମିଳୁଥିବା ବେଳେ କିଛି ବ୍ୟବସାୟୀ ମାତ୍ର ୧୭୦୦ରୁ ୧୭୫୦ ଟଙ୍କାରେ ଧାନ କିଣୁଛନ୍ତି। ବାତ୍ୟା ଆସିଲେ ଧାନ ନଷ୍ଟ ହୋଇଯିବ ବୋଲି ଆଶଙ୍କା ଦେଖାଇ ଚାଷୀଙ୍କଠାରୁ କମ୍ ଦାମରେ ଧାନ କିଣାଯାଉଥିବା ସେମାନେ କହିଛନ୍ତି।

ଚାଷୀମାନେ ଧାନ ଚାଷ ପାଇଁ ଟ୍ରାକ୍ଟର ଚାଷ, ସାର, ଔଷଧ, କୀଟନାଶକ ଓ ଅନ୍ୟାନ୍ୟ କାର୍ଯ୍ୟରେ କ୍ୱିଣ୍ଟାଲ ପିଛା ପ୍ରାୟ ୨୫୦୦ ଟଙ୍କା ଖର୍ଚ୍ଚ କରୁଥିବା ଆକଳନ କରିଛନ୍ତି। ଏଭଳି ସ୍ଥିତିରେ କମ୍ ମୂଲ୍ୟରେ ଧାନ ବିକ୍ରି କଲେ ଚାଷୀଙ୍କୁ ବ୍ୟାପକ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ବର୍ଷଯାକର ପରିଶ୍ରମ ପରେ ଉଚିତ ମୂଲ୍ୟ ନମିଳିବା ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି।

ଏହି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ତୁରନ୍ତ ଅସ୍ଥାୟୀ ମଣ୍ଡି ଖୋଲି ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ କିଣିବାକୁ ଚାଷୀମାନେ ଦାବି କରିଛନ୍ତି। ଏଥିସହ କମ୍ ଦାମରେ ଧାନ କିଣୁଥିବା ବ୍ୟବସାୟୀଙ୍କ କାର୍ଯ୍ୟକଳାପ ଯାଞ୍ଚ କରିବା ସହ ଧାନର ଉଚିତ ମୂଲ୍ୟ ସୁନିଶ୍ଚିତ କରିବାକୁ ଦାବି ହୋଇଛି।

ବାତ୍ୟା ପୂର୍ବରୁ ଅମଳ ଧାନକୁ ସୁରକ୍ଷିତ ରଖିବା ପାଇଁ ଚାଷୀଙ୍କୁ ପଲିଥିନ ଯୋଗାଇବା ଏବଂ ଧାନ ଶୁଖାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରଶାସନ ନିକଟରେ ଦାବି ହୋଇଛି। ଜିଲ୍ଲା ପ୍ରଶାସନ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ପଦକ୍ଷେପ ନେବ କି ନାହିଁ, ତାହାକୁ ନେଇ ଚାଷୀମହଲରେ ଅପେକ୍ଷା ରହିଛି।

Spread the love

Leave a Reply

Your email address will not be published. Required fields are marked *