ରାଜକନିକା, (ଓଡ଼ିଶ୍ରୀ ସମ୍ବାଦ): କେନ୍ଦ୍ରାପଡ଼ା ଜିଲ୍ଲାର ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ହାଉସକିପିଂ, ରାତ୍ର ଜଗୁଆଳି ଓ ୱାର୍ଡ ସେବକ ନିଯୁକ୍ତିକୁ ନେଇ ଅନିୟମିତତା ଅଭିଯୋଗ ଉଠିଛି। ଆବେଦନର ଶେଷ ଦିନରେ ବିଜ୍ଞପ୍ତି ସାର୍ବଜନୀନ କରାଯାଇଥିବା ଅଭିଯୋଗ କରି ଅନେକ ଆଶାୟୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିଶନ ଶକ୍ତି ବିଭାଗ ପକ୍ଷରୁ ଚିଠି ନମ୍ବର ୮୨୩, ତାରିଖ ୧୨ ଅକ୍ଟୋବର ୨୦୨୬ ଅନୁଯାୟୀ, ନିଯୁକ୍ତି ପାଇଁ ଗାଇଡଲାଇନ୍ ଓ ଆବେଦନ ଫର୍ମାଟ୍ ପ୍ରକାଶ କରାଯାଇଥିଲା। ଆବେଦନ ପାଇଁ ୧୫ ଦିନ ସମୟ ଦିଆଯାଇଥିବା ବେଳେ ସମ୍ପୃକ୍ତ ବିଭାଗ ଓ ଅଧିକାରୀମାନଙ୍କୁ ବିଜ୍ଞପ୍ତି ପ୍ରଦର୍ଶନ ଓ ପ୍ରଚାର କରିବାକୁ ନିର୍ଦ୍ଦେଶ ଥିବା କୁହାଯାଇଛି।
ତେବେ ଏହି ବିଜ୍ଞପ୍ତି ସମ୍ପର୍କରେ ସମସ୍ତ ଆଶାୟୀଙ୍କୁ ସମୟୋଚିତ ଭାବେ ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି। ଶେଷ ଦିନରେ ବିଭିନ୍ନ ଗ୍ରୁପ୍ରେ ବିଜ୍ଞପ୍ତି ପ୍ରଚାର କରାଯାଇଥିବାରୁ ଅନେକ ଯୋଗ୍ୟ ଆଶାୟୀ ଆବେଦନ ସୁଯୋଗରୁ ବଞ୍ଚିତ ହୋଇଥିବା ଦାବି କରିଛନ୍ତି। ଏହା ପଛରେ ନିଜ ପସନ୍ଦର ଗୋଷ୍ଠୀକୁ ସୁଯୋଗ ଦେବା ଉଦ୍ଦେଶ୍ୟ ଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି।
ଏ ସମ୍ପର୍କରେ ବ୍ଲକ ମିଶନ ଶକ୍ତିର କୋଅର୍ଡିନେଟରଙ୍କୁ ପଚରାଯିବାରୁ ବିଭିନ୍ନ ଫୋରମ୍ରେ ସୂଚନା ଦିଆଯାଇଥିବା କୁହାଯାଇଥିଲା। ଅନ୍ୟପକ୍ଷରେ, ବିଡିଓ କହିଛନ୍ତି ଯେ ୧୨ଟି ହାଇସ୍କୁଲର ନିଯୁକ୍ତି ସମ୍ପର୍କରେ ଏସ୍ଏଚ୍ଜି, ଏମ୍ବିକେ ଓ ସିଆର୍ପିମାନଙ୍କୁ ଜୁମ୍ ମିଟିଂ ମାଧ୍ୟମରେ ଜଣାଯାଇଥିଲା। ନିୟମ ଅନୁଯାୟୀ ଯୋଗ୍ୟ ଗୋଷ୍ଠୀ ଆବେଦନ କରିପାରିବେ ବୋଲି ସେ ସ୍ପଷ୍ଟ କରିଥିବା ଜଣାପଡ଼ିଛି।
ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇ ଆଶାୟୀମାନେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଓ ତଦନ୍ତ ଦାବି କରିଛନ୍ତି। ଆବେଦନର ଶେଷ ତାରିଖକୁ ଆଉ ୧୫ ଦିନ ବୃଦ୍ଧି କରି ବିଜ୍ଞପ୍ତିକୁ ବ୍ୟାପକ ଭାବେ ସାର୍ବଜନୀନ କରାଗଲେ ସମସ୍ତ ଯୋଗ୍ୟ ଗୋଷ୍ଠୀ ଆବେଦନର ସୁଯୋଗ ପାଇପାରିବେ ବୋଲି ସାଧାରଣରେ ଦାବି ହୋଇଛି। ତେବେ ଅନିୟମିତତା ଅଭିଯୋଗର ସ୍ୱାଧୀନ ଯାଞ୍ଚ ହେବା ପରେ ହିଁ ପ୍ରକୃତ ସ୍ଥିତି ସ୍ପଷ୍ଟ ହୋଇପାରିବ।
