• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଯୁବପିଢ଼ିଙ୍କ ପାଇଁ ଆଦର୍ଶ କଟକର ଯୁବ ସମାଜସେବୀ ଡାକ୍ତର ରାଜୀବ ମହାରଣା

Byodishri Live

Oct 30, 2026

ଅସହାୟଙ୍କ ସେବାଠାରୁ ଗୋସେବା ପର୍ଯ୍ୟନ୍ତ, ସମାଜ ପାଇଁ ଉଦାହରଣ ସୃଷ୍ଟି କରୁଛନ୍ତି ରାଜୀବ ଓ ତାଙ୍କ ସହଯୋଗୀ

କଟକ (ଓଡ଼ିଶ୍ରୀ ସମ୍ବାଦ): କଟକ ସହରର ନୂଆବଜାର ଅଞ୍ଚଳର ବାସିନ୍ଦା ଯୁବ ସମାଜସେବୀ ଡାକ୍ତର ରାଜୀବ ମହାରଣା ନିଜର ସେବାମନୋଭାବ ଓ ସାମାଜିକ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ସହ କିଛି ଯୁବକ ଓ ଯୁବତୀ ମିଶି ଗରିବ, ଅସହାୟ ଲୋକଙ୍କ ସହାୟତାଠାରୁ ଆରମ୍ଭ କରି ଗୋସେବା ଓ ବୁଲା କୁକୁରଙ୍କୁ ଖାଦ୍ୟ ଯୋଗାଇବା ଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି।

ନିକଟରେ ରାଜୀବ ମହାରଣାଙ୍କ ସହ ଏକ ସାକ୍ଷାତ୍‌କାର ସମୟରେ ସମାଜସେବା ପାଇଁ ସମୟ କିପରି ବାହାର କରୁଛନ୍ତି ବୋଲି ପଚରାଯିବାରୁ ସେ କହିଥିଲେ, “ସମୟ କେବେ ନଥାଏ ନୁହେଁ, ସମୟ ବାହାର କରିବାକୁ ପଡ଼େ। ଯିଏ ଅନ୍ୟର ଦୁଃଖକୁ ନିଜର ଦୁଃଖ ବୋଲି ଭାବିପାରେ, ସେ ସବୁବେଳେ ସାହାଯ୍ୟର ହାତ ବଢ଼ାଇଥାଏ।”

ନିରୀହ ପଶୁଙ୍କ ସେବା ସମ୍ପର୍କରେ ନିଜ ମତ ରଖି ସେ କହିଥିଲେ ଯେ, ମଣିଷ ଭୋକ ଲାଗିଲେ ନିଜର ଆବଶ୍ୟକତା ଜଣାଇପାରେ, କିନ୍ତୁ ନିରୀହ ପଶୁମାନେ ନିଜ ଭୋକ କଥା କହିପାରନ୍ତି ନାହିଁ। ତେଣୁ ସୁଯୋଗ ମିଳିଲେ ସେ ଗୋସେବା କରିବା ସହ ବାହାରେ ବୁଲୁଥିବା କୁକୁରମାନଙ୍କୁ ଖାଦ୍ୟ ଯୋଗାଇଥାନ୍ତି।

ଏହା ସହିତ ରାଜୀବ ଓ ତାଙ୍କ ଭାଇ ଶ୍ରୀଯୁକ୍ତ ଗୌତମ ମହାରଣାଙ୍କ ଉଦ୍ୟମରେ ଖୋର୍ଦ୍ଧା ଜିଲ୍ଲାର ଜଟଣୀଠାରେ ‘ବାପା ମା’ଙ୍କ ସେବାଶ୍ରମ ଟ୍ରଷ୍ଟ’ ପ୍ରତିଷ୍ଠା କରାଯାଇଛି। ସେଠାରେ ୫୦ରୁ ଊର୍ଦ୍ଧ୍ୱ ବୃଦ୍ଧବୃଦ୍ଧା ରହୁଥିବା ସହ ସେମାନଙ୍କ ଚିକିତ୍ସାର ବ୍ୟବସ୍ଥା ମଧ୍ୟ ରହିଥିବା ସେ ସୂଚନା ଦେଇଛନ୍ତି।

ଯୁବପିଢ଼ିଙ୍କୁ ବାର୍ତ୍ତା ଦେଇ ରାଜୀବ କହିଛନ୍ତି ଯେ, ମୋବାଇଲ୍‌ ଗେମ୍‌ ଓ ନିଶାଦ୍ରବ୍ୟଠାରୁ ଦୂରେଇ ରହି ନିଜର ମୂଲ୍ୟବାନ ସମୟକୁ ସମାଜର ହିତରେ ବିନିଯୋଗ କରିବା ଉଚିତ। ଅନ୍ୟର ମୁହଁରେ ହସ ଫୁଟାଇବା ଏବଂ ଦୁଃଖୀ, ଦରିଦ୍ର ଓ ଅସହାୟଙ୍କୁ ସାହାଯ୍ୟ କରିବାର ଆନନ୍ଦ ନିଆରା ବୋଲି ସେ ମତ ଦେଇଛନ୍ତି।

ତାଙ୍କର ଶେଷ ବାର୍ତ୍ତାରେ ସେ ପ୍ରଥମେ ନିଜ ଘରର ବାପା ଓ ମା’ଙ୍କ ସେବା କରିବାକୁ ଯୁବପିଢ଼ିଙ୍କୁ ଅନୁରୋଧ କରିଛନ୍ତି। ପରିବାରର ବୟସ୍କ ସଦସ୍ୟଙ୍କ ଯତ୍ନ ନେବା ସହ ସମୟ ପାଇଲେ ନିଃସହାୟ ଲୋକ ଓ ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ଓ ସହାୟତାର ବ୍ୟବସ୍ଥା କରିବାକୁ ସେ ଆହ୍ୱାନ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *