ଭବାନୀପାଟଣା, (ଓଡ଼ିଶ୍ରୀ ସମ୍ବାଦ): କଳାହାଣ୍ଡି ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ-୨୦୨୬ ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସଭାରେ ସଞ୍ଚୟର ଗୁରୁତ୍ୱ, ଆର୍ଥିକ ସୁରକ୍ଷା ଓ ସାଇବର ଠକେଇରୁ ସୁରକ୍ଷିତ ରହିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁକନ୍ୟା ସମୃଦ୍ଧି ଯୋଜନାର ୫ ଜଣ ହିତାଧିକାରୀଙ୍କୁ ସ୍ୱଳ୍ପ ସଞ୍ଚୟ ଯୋଜନାର ଆକାଉଣ୍ଟ ଖାତା ପ୍ରଦାନ କରିଥିଲେ। ଏଥିସହ ମିତବ୍ୟୟିତା ସଂକଳ୍ପ ବୋର୍ଡରେ ଦସ୍ତଖତ କରି ସଞ୍ଚୟର ବାର୍ତ୍ତା ଦେଇଥିଲେ।
ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଭବିଷ୍ୟତର ଆର୍ଥିକ ସୁରକ୍ଷା ପାଇଁ ନିୟମିତ ସଞ୍ଚୟ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ କୌଣସି ଅଜଣା ପ୍ରଲୋଭନରେ ନପଡ଼ି ସ୍ୱୀକୃତିପ୍ରାପ୍ତ ଆର୍ଥିକ ଅନୁଷ୍ଠାନ, ଜାତୀୟକରଣ ବ୍ୟାଙ୍କ ଓ ଡାକଘରରେ ନିଜର ଅର୍ଥ ନିବେଶ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ଉପଜିଲ୍ଲାପାଳ ଆଶିନି ଏ.ଏଲ୍., ଡାକ ଅଧୀକ୍ଷକ ବିଶ୍ୱଜିତ୍ ମିଶ୍ର, ସାଇବର ଅପରାଧ ଡିଏସ୍ପି ଅଳକା ସାହୁ ଏବଂ ଏଲ୍ଡିଏମ୍ ଉଇଲିଅମ ରାକେଶ କୃପ ଉପସ୍ଥିତ ଥିଲେ।
ସହକାରୀ ନିର୍ଦ୍ଦେଶକ (ସଞ୍ଚୟ ଓ ଆର୍ଥିକ ସେବା) ବିବେକାନନ୍ଦ ମହାନନ୍ଦ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଦିବସ ପାଳନର ଉଦ୍ଦେଶ୍ୟ ଓ ସଞ୍ଚୟର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।
ଅନ୍ୟପକ୍ଷରେ ସାଇବର ଅପରାଧ ଡିଏସ୍ପି ଅଳକା ସାହୁ ଜନସାଧାରଣଙ୍କୁ ନିଜର ବ୍ୟାଙ୍କ ଜମାଖାତା ଓ ସଞ୍ଚୟକୁ ସୁରକ୍ଷିତ ରଖିବା ସମ୍ପର୍କରେ ସଚେତନ କରିଥିଲେ। ଋଣ, ଅନଲାଇନ୍ ସପିଂ, ଆଧାର ଅପଡେଟ୍ ଓ ଲିଙ୍କ୍ ଫ୍ରଡ୍ ଭଳି ବିଭିନ୍ନ ଉପାୟରେ ସାଇବର ଠକମାନେ କିପରି ଲୋକଙ୍କୁ ଠକୁଛନ୍ତି ଏବଂ ସେଥିରୁ କିପରି ନିଜକୁ ସୁରକ୍ଷିତ ରଖିହେବ, ସେନେଇ ସେ ବିସ୍ତୃତ ଭାବେ ବୁଝାଇଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
