ଜଟଣୀ (ଓଡ଼ିଶ୍ରୀ ସମ୍ବାଦ): ମିନି ମୁମ୍ବାଇ ଭାବେ ପରିଚିତ ଜଟଣୀରେ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା। ସହରର ପ୍ରାୟ ୨୦୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନବିନାଶକ ଗଜାନନ। ଗଣେଶଙ୍କ ଦର୍ଶନ ପାଇଁ ମଣ୍ଡପକୁ ମଣ୍ଡପ ବୁଲୁଛନ୍ତି ଶ୍ରଦ୍ଧାଳୁ। ପୂଜାକୁ ନେଇ ସାରା ସହର ଏବେ ଚଳଚଞ୍ଚଳ ହୋଇଉଠିଛି।
ଅଗ୍ରପୂଜ୍ୟ ଗଜାନନଙ୍କୁ ବିଦ୍ୟା, ବୁଦ୍ଧି ଓ ସିଦ୍ଧିର ଦାତା ଭାବେ ପୂଜା କରାଯାଏ। ଏଥିପାଇଁ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ମଧ୍ୟ ଗଣେଶ ପୂଜାକୁ ବିଶେଷ ଗୁରୁତ୍ୱ ଦିଆଯାଏ।
ବିଶେଷ କରି ଜଟଣୀରେ ଗଣେଶ ପୂଜାର ରହିଛି ନିଆରା ପରମ୍ପରା। ମହୁଲଗୁଡ଼ିଆ ଛକ, ହରିଭାଇନା ଛକ, ରେଳବାଇ କଲୋନୀ, ରାଜାବଜାର, ଥାନା ଛକ, ତିନିକୋଣିଆ ଛକ ଓ ଖୁଦୁପୁର ଛକ ସମେତ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ଓ ସୁସଜ୍ଜିତ ପୂଜା ମଣ୍ଡପ ନିର୍ମାଣ କରାଯାଇଛି।
ବ୍ୟବସାୟିକ ସହର ଭାବେ ପରିଚିତ ଜଟଣୀରେ ବହୁ ସଂଖ୍ୟାରେ ବ୍ୟବସାୟୀ ରହୁଥିବାରୁ ଗଣେଶ ପୂଜାକୁ ଏଠାରେ ବେଶ୍ ଗୁରୁତ୍ୱ ଦିଆଯାଏ। ଚଳିତ ବର୍ଷ ମଧ୍ୟ ବିଭିନ୍ନ ପୂଜା କମିଟି ପକ୍ଷରୁ ମଣ୍ଡପର ସାଜସଜ୍ଜା ଓ ତୋରଣକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ଗଣେଶ ପୂଜା ଅବସରରେ ବିଭିନ୍ନ ସ୍ଥାନରେ ମୀନାବଜାର ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସନ୍ଧ୍ୟା ହେଲେ ଆଲୋକମାଳାରେ ଝଲସି ଉଠୁଛି ବିଭିନ୍ନ ପୂଜା ମଣ୍ଡପ। ଗଜାନନଙ୍କ ଦର୍ଶନ ସହ ମେଳା ଓ ମନୋରଞ୍ଜନର ମଜା ନେବାକୁ ମଣ୍ଡପଗୁଡ଼ିକରେ ଲୋକଙ୍କ ଭିଡ଼ ଜମୁଛି।
