ଦାରିଙ୍ଗବାଡ଼ି (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବଜାରରେ ଅଜଣା କାର୍ ଧକ୍କାରେ ବାପା ଓ ତାଙ୍କ ନାବାଳିକା ଝିଅ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇବା ପରେ କାର୍ଟି ଘଟଣାସ୍ଥଳରୁ ଦ୍ରୁତଗତିରେ ଚାଲିଯାଇଥିବା ଅଭିଯୋଗ ହୋଇଛି। ଏବେ ସିସିଟିଭି ଫୁଟେଜ୍ ଯାଞ୍ଚ କରି କାର୍ଟିକୁ ଚିହ୍ନଟ କରିବାକୁ ପୋଲିସ ତଦନ୍ତ ଚଳାଇଛି।
ସୂଚନା ଅନୁସାରେ, ଦାରିଙ୍ଗବାଡ଼ିରେ ଦୁଇଟି ସ୍ଥାନରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଚାଲିଥିବାରୁ ଅଞ୍ଚଳରେ ଉତ୍ସବର ମାହୋଲ ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ଲୋକେ ପରିବାର ସହ ପୂଜାମଣ୍ଡପ ବୁଲିବାକୁ ଯାଉଥିବା ସମୟରେ ଦାରିଙ୍ଗବାଡ଼ି ବଜାର ନିକଟ ୫୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା।
ଦାରିଙ୍ଗବାଡ଼ି ଅଞ୍ଚଳର ସାଗର କୁମାର ସାହୁ (୩୮) ନିଜ ଛୋଟ ଝିଅଙ୍କ ସହ ମା’ ଗଜଲକ୍ଷ୍ମୀଙ୍କ ମେଢ଼ ଦର୍ଶନ ପାଇଁ ଯାଉଥିବା ବେଳେ ଏକ ଧଳା ରଙ୍ଗର କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ବାପା ଓ ଝିଅଙ୍କ ମୁଣ୍ଡ, ହାତ, ଗୋଡ଼ ଓ ପିଠିରେ ଆଘାତ ଲାଗିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ କାର୍ଟି ଅଟକିବା ପରିବର୍ତ୍ତେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା।
ସ୍ଥାନୀୟ ଲୋକେ ଆହତ ବାପା-ଝିଅଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏନେଇ ସାଗର କୁମାର ସାହୁ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି। ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଦୁର୍ଘଟଣା ଘଟାଇଥିବା କାର୍କୁ ଚିହ୍ନଟ କରିବାକୁ ପୋଲିସ ଉଦ୍ୟମ କରୁଥିବା ଜଣାପଡ଼ିଛି।
