• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

କାକିରିଗୁମାରେ ବେଆଇନ ମଦ କାରବାରକୁ ନେଇ ବଢ଼ିଲା ଅସନ୍ତୋଷ

Byodishri Live

Oct 31, 2026

ମଦ ଚାଲାଣ ବେଳେ ଦୁଇ ବ୍ୟକ୍ତିଙ୍କୁ ଅଟକାଇଲେ ସମାଜସେବୀ, ବ୍ୟାଗ୍‌ ଛାଡ଼ି ଫେରାର; ମଦ ଜବତ କଲା ପୋଲିସ

କୋରାପୁଟ, (ଓଡ଼ିଶ୍ରୀ ସମ୍ବାଦ): କାକିରିଗୁମା ଅଞ୍ଚଳରେ ବେଆଇନ ଠିପି ମଦ କାରବାର ଓ ଚୋରା ଚାଲାଣକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ଏବଂ ସାମାଜିକ ପରିବେଶକୁ ସୁରକ୍ଷିତ ରଖିବା ପାଇଁ କିଛି ସଚେତନ ଯୁବକ ଓ ସମାଜସେବୀ ଆଗକୁ ଆସିଛନ୍ତି। ତେବେ ପୋଲିସ ଓ ଅବକାରୀ ବିଭାଗର ନଜରଦାରୀ ସତ୍ତ୍ୱେ ଏଭଳି କାରବାର ଚାଲିଥିବା ନେଇ ସ୍ଥାନୀୟ ମହଲରେ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ଦୁଇ ଜଣ ବ୍ୟକ୍ତି ଏକ ବ୍ୟାଗ୍‌ରେ ଠିପି ମଦ ନେଇ ପଞ୍ଚଡ଼ା ଅଭିମୁଖେ ଯାଉଥିବା ସମୟରେ ସମାଜସେବୀ ଚିନ୍ମୟ ଖରା ଓ ଅନିଲ ଖୋସ୍ଲା ସେମାନଙ୍କୁ ଅଟକାଇଥିଲେ। ମଦ ଚାଲାଣ ନେଇ ସନ୍ଦେହ ହେବାରୁ ସେମାନେ ତୁରନ୍ତ କାକିରିଗୁମା ପୋଲିସକୁ ଖବର ଦେଇଥିଲେ। ତେବେ ପୋଲିସ ପହଞ୍ଚିବା ପୂର୍ବରୁ ଉକ୍ତ ଦୁଇ ବ୍ୟକ୍ତି ମଦ ଥିବା ବ୍ୟାଗ୍‌ଟିକୁ ରାସ୍ତାକଡ଼ରେ ଛାଡ଼ି ସେଠାରୁ ଚାଲିଯାଇଥିବା ଜଣାପଡ଼ିଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗ୍‌ରେ ଥିବା ମଦ ଜବତ କରିଥିଲା। ଏହା ସହ ଘଟଣା ସମ୍ପର୍କରେ ତଦନ୍ତ ଓ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି।

ସ୍ଥାନୀୟ ଯୁବକମାନଙ୍କ କହିବା ଅନୁଯାୟୀ, କାକିରିଗୁମା ଅଞ୍ଚଳରେ ବେଆଇନ ମଦ ଚାଲାଣ ରୋକିବା ପାଇଁ ପୂର୍ବରୁ ମଧ୍ୟ ଏକାଧିକ ଥର ଉଦ୍ୟମ କରାଯାଇଛି। ଏପରିକି ମଦ ଚାଲାଣ ସମୟରେ ଯୁବକମାନେ ହସ୍ତକ୍ଷେପ କରିବା ସହ ଏ ସମ୍ପର୍କିତ ଭିଡିଓ ମଧ୍ୟ ସାମ୍ନାକୁ ଆଣିଥିବା ଦାବି କରାଯାଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ପୂର୍ବରୁ ମାମଲା ରୁଜୁ ହୋଇଥିବା ନେଇ ମଧ୍ୟ ସ୍ଥାନୀୟ ମହଲରେ ଆଲୋଚନା ହେଉଛି। ତଥାପି ଏଭଳି କାରବାର ବନ୍ଦ ହୋଇପାରୁ ନଥିବାରୁ ଚିନ୍ତା ବଢ଼ିଛି।

ବେଆଇନ ମଦ କାରବାର ଯୁବପିଢ଼ିଙ୍କ ଭବିଷ୍ୟତ, ସାମାଜିକ ଶୃଙ୍ଖଳା ଓ ପରିବାରିକ ପରିବେଶ ଉପରେ କୁପ୍ରଭାବ ପକାଇବାର ଆଶଙ୍କା ରହିଛି। ତେଣୁ କେବଳ ମଦ ଜବତରେ ସୀମିତ ନରହି, ଏହି କାରବାରର ଉତ୍ସ ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଜରୁରୀ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ, କାକିରିଗୁମା ଅଞ୍ଚଳରେ ବେଆଇନ ମଦ ଚାଲାଣ ଓ ବିକ୍ରି ଉପରେ ସ୍ଥାୟୀ ରୋକ୍‌ ଲଗାଇବା ପାଇଁ ପୋଲିସ ଓ ଅବକାରୀ ବିଭାଗ ନିୟମିତ ଚଢ଼ାଉ, ଯାଞ୍ଚ ଏବଂ କଡ଼ା ଆଇନଗତ ପଦକ୍ଷେପ ନେବାକୁ ସ୍ଥାନୀୟ ନାଗରିକମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *