• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଲଗାଣ ବର୍ଷାରେ ଧସିଲା ଦୁଧେଇନାଳ ସେତୁର ସଂଯୋଗୀକରଣ ରାସ୍ତା

Byodishri Live

Nov 1, 2026

ଯାତାୟାତରେ ହନ୍ତସନ୍ତ ଦୁର୍ଗାପୁର ସମେତ ଆଖପାଖ ଗ୍ରାମବାସୀ; ମରାମତି ଦାବି, ନହେଲେ ଆନ୍ଦୋଳନ ଚେତାବନୀ

ବରୀ, (ଓଡ଼ିଶ୍ରୀ ସମ୍ବାଦ): ଲଗାଣ ବର୍ଷାରେ ଧସିଯାଇଛି ଦୁଧେଇନାଳ ସେତୁର ସଂଯୋଗୀକରଣ ରାସ୍ତା। ଏହାକୁ ନେଇ ଯାଜପୁର ଜିଲ୍ଲାର ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସୁଜନପୁର ପଞ୍ଚାୟତର ଦୁର୍ଗାପୁର, ହଂସନପୁର ସମେତ ଆଖପାଖ ଅଞ୍ଚଳରେ ଯାତାୟାତ ସମସ୍ୟା ଦେଖାଦେଇଛି।

ଦୁର୍ଗାପୁର-ହଂସନପୁର ମଧ୍ୟରେ ଦୁଧେଇନାଳ ଉପରେ ନିର୍ମିତ ସେତୁକୁ ସଂଯୋଗ କରୁଥିବା ରାସ୍ତାର ଏକ ଅଂଶ ବର୍ଷା ଯୋଗୁଁ ଧସିଯାଇଛି। ଫଳରେ ଏହି ରାସ୍ତା ଉପରେ ନିର୍ଭରଶୀଳ ଦୁର୍ଗାପୁର ଗ୍ରାମର ୨, ୩, ୪ ଓ ୫ ନମ୍ବର ୱାର୍ଡର ବାସିନ୍ଦାଙ୍କ ସମେତ ଶ୍ୟାମଦାସପୁର, ରୁଦ୍ରପୁର ଓ ନୁଣପୁର ଗ୍ରାମବାସୀ ଯାତାୟାତରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହି ରାସ୍ତା ଅଞ୍ଚଳବାସୀଙ୍କ ଦୈନନ୍ଦିନ ଯାତାୟାତର ଏକ ପ୍ରମୁଖ ମାଧ୍ୟମ। ପ୍ରତିଦିନ ଏହି ରାସ୍ତା ଦେଇ ଯାନବାହନ ସହ ଛାତ୍ରଛାତ୍ରୀ ଓ ରୋଗୀମାନେ ଯାତାୟାତ କରିଥାନ୍ତି। ରାସ୍ତା ଧସିଯିବା ପରେ ସେମାନଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏପରିକି ଜରୁରୀ କାମରେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ିଛି।

ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଡ୍ରେନେଜ୍ ବିଭାଗ ପକ୍ଷରୁ ଧସିଥିବା ସ୍ଥାନରେ ପିଲାର ନିର୍ମାଣ କରି ରାସ୍ତାର ସ୍ଥାୟୀ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ନହେଲେ ବରିଷ୍ଠ ରାଜନେତା ଗଣେଶ ଚନ୍ଦ୍ର ମହାକୁଡ଼ଙ୍କ ସମେତ ଅଞ୍ଚଳବାସୀ ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *