ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସାମୂହିକ ସହଭାଗିତା ଅପରିହାର୍ଯ୍ୟ: ଅତିରିକ୍ତ ଜିଲ୍ଲାପାଳ
ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ଦୁର୍ନୀତି ବିରୋଧରେ ଜନସଚେତନତା ସୃଷ୍ଟି କରିବା ଏବଂ ସାଧୁତାର ମୂଲ୍ୟବୋଧର ପ୍ରସାର ଉଦ୍ଦେଶ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳନ ଅବସରରେ ବାରିପଦାଠାରେ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ଦୁର୍ନୀତି ବିରୋଧରେ ବାର୍ତ୍ତା ପ୍ରସାର କରିଥିଲେ।
ଜିଲ୍ଲା ପ୍ରଶାସନ ଓ ବାରିପଦା ଭିଜିଲାନ୍ସ ୟୁନିଟ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏହି ଶୋଭାଯାତ୍ରା ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ କହିଥିଲେ ଯେ, ସମାଜରୁ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସମସ୍ତ ବର୍ଗର ଲୋକଙ୍କ ସକ୍ରିୟ ସହଭାଗିତା ଅତ୍ୟନ୍ତ ଆବଶ୍ୟକ। ଚଳିତ ବର୍ଷର ସଚେତନତା ସପ୍ତାହର ବିଷୟବସ୍ତୁ “ଦୁର୍ନୀତି ନିବାରଣ: ସାଧୁତାରୁ ସମୃଦ୍ଧି” ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ଦୁର୍ନୀତି ବିରୋଧୀ ବାର୍ତ୍ତା ଲେଖାଥିବା ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଲୋଗାନ ଦେଇ ସହରବାସୀଙ୍କୁ ସଚେତନ କରିଥିଲେ। ସରକାରୀ ସେବା ପାଇବା ପାଇଁ ଲାଞ୍ଚ ଦେବା ଓ ସେବା ପ୍ରଦାନ ବଦଳରେ ଲାଞ୍ଚ ଗ୍ରହଣ କରିବା ଉଭୟ ଆଇନତଃ ଅପରାଧ ବୋଲି ସେମାନେ ବାର୍ତ୍ତା ଦେଇଥିଲେ। ଏଥିସହ ପ୍ରତ୍ୟେକ ନାଗରିକ ନିଜ ନିଜ କ୍ଷେତ୍ରରେ ସ୍ୱଚ୍ଛତା ଓ ସାଧୁତା ଅବଲମ୍ବନ କରିବାକୁ ଆହ୍ୱାନ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା, ବାରିପଦା ଭିଜିଲାନ୍ସ ୟୁନିଟ୍ର ଇନ୍ସପେକ୍ଟର ବିକାଶ କୁମାର ସ୍ୱାଇଁଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସମ୍ପୃକ୍ତ କର୍ମଚାରୀ ଯୋଗଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ଭିଜିଲାନ୍ସ ୟୁନିଟ୍ର କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
