(ଓଡ଼ିଶ୍ରୀ ସମ୍ବାଦ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗାଁରେ ପାରିବାରିକ କଳହକୁ ନେଇ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସ୍ୱାମୀଙ୍କ ମାଡ଼ରେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ପାଇକିରାପୁର ଗାଁର ବିଜୟ ପତି ଓ ତାଙ୍କ ସ୍ତ୍ରୀ କମଳିନୀ ପତି ତିନିଜଣ ଛୋଟ ପିଲାଙ୍କ ସହ ରହୁଥିଲେ। ବିଜୟ ନିୟମିତ ମଦ୍ୟପାନ କରି ଘରେ ପାଟିତୁଣ୍ଡ ଓ ମାଡ଼ପିଟ କରୁଥିବା ଅଭିଯୋଗ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ବିଜୟ ଅତ୍ୟଧିକ ମଦ୍ୟପାନ କରି ଘରେ ପାଟିତୁଣ୍ଡ କରିବା ସହ କମଳିନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପରେ ଘର ଭିତରେ କମଳିନୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଘଟଣାସ୍ଥଳରେ ଭଙ୍ଗା ମଦ ବୋତଲ ଓ କାଚ ଖଣ୍ଡ ପଡ଼ିଥିବା ଦେଖିବାକୁ ମିଳିଥିବା ସୂଚନା ରହିଛି। ଏନେଇ ଗ୍ରାମବାସୀ ସକାଳେ ଚାନ୍ଦବାଲି ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବିଜୟ ପତିଙ୍କୁ ଥାନାକୁ ନେଇ ଅଟକ ରଖିଥିବା ଜଣାପଡ଼ିଛି। ଘଟଣାର ପ୍ରକୃତ କାରଣ ଓ ମୃତ୍ୟୁର ପରିସ୍ଥିତି ନେଇ ପୋଲିସର ତଦନ୍ତ ଜାରି ରହିଛି।
