ମୃତ ପଶୁଙ୍କ ମୃତଦେହର ସୁରକ୍ଷିତ ନିଷ୍କାସନ, ଆହତ ପଶୁଙ୍କୁ ଚିକିତ୍ସା ଯୋଗାଣ
ଫୁଲବାଣୀ (ଓଡ଼ିଶ୍ରୀ ସମ୍ବାଦ): ଗିଡ଼ିପାବାଲି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଦଳ ସାମିଲ ହୋଇ ପଶୁମାନଙ୍କ ଉଦ୍ଧାର, ଚିକିତ୍ସା ଓ ମୃତ ପଶୁଙ୍କ ମୃତଦେହର ସୁରକ୍ଷିତ ନିଷ୍କାସନ କାର୍ଯ୍ୟ କରିଛନ୍ତି।
ଜିଲ୍ଲାସ୍ତରୀୟ ଦ୍ରୁତ ପ୍ରତିକ୍ରିୟା ଦଳ (RRT-ARD) ପକ୍ଷରୁ ମୃତ ପଶୁଙ୍କ ମୃତଦେହକୁ ନିୟମ ଅନୁସାରେ ଚୂନ ପ୍ରୟୋଗ କରି ପୋତିବା ଓ ପୋଡ଼ିବା ମାଧ୍ୟମରେ ନିଷ୍କାସନ କରାଯାଇଛି। ଏହା ସହ ଜୀବିତ ଓ ଆହତ ପଶୁମାନଙ୍କୁ ଉଦ୍ଧାର କରି ଚିକିତ୍ସା ଯୋଗାଇ ଦିଆଯାଇଛି।
ଉଦ୍ଧାର କାର୍ଯ୍ୟ ସମୟରେ ଆହତ ପଶୁମାନଙ୍କୁ ଆଣ୍ଟିବାୟୋଟିକ୍, ଷ୍ଟେରଏଡ୍ ଓ ତରଳ ପଦାର୍ଥ ଚିକିତ୍ସା (Fluid Therapy) ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ମୁଣ୍ଡ ଓ ମେରୁଦଣ୍ଡରେ ଗୁରୁତର ଆଘାତ ପାଇଥିବା ଏକ ବଳଦ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବାରୁ ତାହାର ମୃତଦେହକୁ ମଧ୍ୟ ସୁରକ୍ଷିତ ଭାବେ ନିଷ୍କାସନ କରାଯାଇଛି।
ଅପରେସନ ସମୟରେ ଉଦ୍ଧାରକାରୀ ଦଳ ପିପିଇ କିଟ୍ ବ୍ୟବହାର କରିଥିଲେ। ତେବେ ପ୍ରତିକୂଳ ପରିସ୍ଥିତି ଯୋଗୁଁ କେତେକ କିଟ୍ କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ଉଲ୍ଲେଖ ରହିଛି। ଏହି କାର୍ଯ୍ୟରେ ସାମିଲ ଦଳର ସଦସ୍ୟମାନଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି।
