• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ନଭେମ୍ବର ୯ରୁ ବାଲିଗୁଡ଼ାରେ ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ କଥା ଓ ଆଧ୍ୟାତ୍ମିକ ପ୍ରବଚନ

Byodishri Live

Nov 3, 2026

ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ୭ ଦିନ ଧରି ଚାଲିବ କାର୍ଯ୍ୟକ୍ରମ; ପ୍ରତିଦିନ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା

ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): ପବିତ୍ର କାର୍ତ୍ତିକ ମାସ ଅବସରରେ ବାଲିଗୁଡ଼ା ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ କଥା ଓ ଆଧ୍ୟାତ୍ମିକ ପ୍ରବଚନର ଆୟୋଜନ କରାଯାଇଛି। ନଭେମ୍ବର ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏହି ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଆୟୋଜକଙ୍କ ସୂଚନା ଅନୁଯାୟୀ, ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭାଗବତ କଥା ଓ ଆଧ୍ୟାତ୍ମିକ ପ୍ରବଚନ ହେବ। କଥା ବ୍ୟାସ ଭାବେ ଶ୍ରୀପାଦ ଭକ୍ତିବେଦାନ୍ତ ବୋଧା ବାଧାୟନ ମହାରାଜ ଯୋଗଦେଇ ଶ୍ରୀମଦ୍ ଭାଗବତର ମହତ୍ତ୍ୱ, ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା, ଭକ୍ତି, ଧର୍ମ ଓ କର୍ମ ସମ୍ପର୍କରେ ପ୍ରବଚନ ଦେବେ। ଏଥିସହ ମାନବ ଜୀବନରେ ଆଧ୍ୟାତ୍ମିକ ଚେତନାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିବେ।

କାର୍ଯ୍ୟକ୍ରମରେ ଯୋଗଦେଉଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରତ୍ୟେକ ଦିନ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ବାଲିଗୁଡ଼ାର ଜଗନ୍ନାଥପ୍ରେମୀ ଭକ୍ତବୃନ୍ଦଙ୍କ ମିଳିତ ସହଯୋଗରେ ଏହି ଆୟୋଜନ କରାଯାଉଛି।

ଏହି ପବିତ୍ର ଭାଗବତ କଥାରେ ବାଲିଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ଓ ଜଗନ୍ନାଥପ୍ରେମୀ ଭକ୍ତଙ୍କୁ ଯୋଗଦେଇ ଆଧ୍ୟାତ୍ମିକ ଜ୍ଞାନ ଓ ଭକ୍ତିରସ ଆସ୍ୱାଦନ କରିବାକୁ ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *