ପ୍ରତିନିଧି ଦଳର ମେଡିକାଲ, ଶିକ୍ଷା କାର୍ଯ୍ୟାଳୟ ଓ ବିଦ୍ୟାଳୟ ପରିଦର୍ଶନ; ପୀଡ଼ିତା ଓ ନବଜାତ ଶିଶୁଙ୍କ ସୁରକ୍ଷା ସହ ଦାୟିତ୍ୱ ନିର୍ଦ୍ଧାରଣ ଦାବି
ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ମୟୂରଭଞ୍ଜ ଜିଲ୍ଲାର ଏକ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିଭିବି)ରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀଙ୍କ ଗର୍ଭଧାରଣ ଓ ପରବର୍ତ୍ତୀ ସମୟରେ ଶିଶୁପୁତ୍ର ପ୍ରସବ ଘଟଣାକୁ ନେଇ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଏହି ଘଟଣାକୁ ବିଜୁ ଜନତା ଦଳ ନିନ୍ଦା କରିବା ସହ ଏହାର ନ୍ୟାୟିକ ତଦନ୍ତ ଓ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଦାବି କରିଛି।
ଦଳ ପକ୍ଷରୁ କୁହାଯାଇଛି ଯେ, ଜଣେ ଛାତ୍ରୀ ଦୀର୍ଘ ସମୟ ଧରି ଗର୍ଭବତୀ ଥିବା ସତ୍ତ୍ୱେ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ଏହା ଜାଣିପାରିଲେ ନାହିଁ, ତାହା ଗୁରୁତର ପ୍ରଶ୍ନ ସୃଷ୍ଟି କରୁଛି। ଏହା ଆବାସିକ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା, ନିୟମିତ ତଦାରଖ ଓ ଯତ୍ନ ବ୍ୟବସ୍ଥାକୁ ନେଇ ଉଦ୍ବେଗ ସୃଷ୍ଟି କରିଛି ବୋଲି ବିଜେଡି ମତ ରଖିଛି।
ଏଥିସହ ନବଜାତ ଶିଶୁର ଉପଯୁକ୍ତ ଚିକିତ୍ସା, ଯତ୍ନ ଓ ପୁଷ୍ଟିକର ଖାଦ୍ୟ ଉପଲବ୍ଧତାକୁ ନେଇ ଆସିଥିବା ଖବରରେ ମଧ୍ୟ ଦଳ ଚିନ୍ତା ପ୍ରକାଶ କରିଛି। ଛାତ୍ରୀ କେଉଁ ପରିସ୍ଥିତିରେ ଗର୍ଭବତୀ ହେଲେ ଏବଂ ଘଟଣାରେ କାହାର ସମ୍ପୃକ୍ତି ରହିଛି, ତାହାର ନିରପେକ୍ଷ ତଦନ୍ତ କରିବାକୁ ଦଳ ଦାବି କରିଛି।
ଗୁରୁବାର ବିଜେଡିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବାରିପଦାସ୍ଥିତ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏବଂ ସମ୍ପୃକ୍ତ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲା। ପ୍ରତିନିଧି ଦଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ, ଧାନୀ କିସ୍କୁ, ସନ୍ତୋଷ ଜେନା, ଜ୍ୟୋତିକାନ୍ତ ସାମଲ, ସୁଶାନ୍ତ ବଳା, ରାଜୀବ ଲୋଚନ ସେନାପତି, ହରେନ୍ଦ୍ର ବେହେରା, ରାମନ୍ଦୁ ସୋରେନ, ଅନୁପମା ମହାନ୍ତ, ମନୀଷ ଗିରି ଓ ଚିତେଶ୍ୱର ବେହେରା ପ୍ରମୁଖ ସାମିଲ ଥିଲେ।
ପ୍ରତିନିଧି ଦଳ ପୀଡ଼ିତା ଓ ନବଜାତ ଶିଶୁଙ୍କୁ ଆବଶ୍ୟକ ଚିକିତ୍ସା, ସୁରକ୍ଷା, ମାନସିକ ପରାମର୍ଶ ଓ ଥଇଥାନ ସହାୟତା ଯୋଗାଇଦେବାକୁ ଦାବି କରିଛି। ଏଥିସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ପଦକ୍ଷେପ ନେବା ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଓ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ଦଳ ଆହ୍ୱାନ ଦେଇଛି।
ଆସନ୍ତାକାଲି ସୁଦ୍ଧା ସରକାରଙ୍କ ପକ୍ଷରୁ ଠୋସ୍ ପଦକ୍ଷେପ ନିଆନଗଲେ ବିଜେଡି ଗଣତାନ୍ତ୍ରିକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ମଧ୍ୟ ଏକ ତଦନ୍ତକାରୀ ଦଳ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।
