ଦାରିଙ୍ଗବାଡ଼ି (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଗୋଛାଗୋରା ଅଞ୍ଚଳରେ ପାଟ୍ରୋଲିଂ ବେଳେ ବଜ୍ରପାତ ଘଟି ଜଣେ ଅବକାରୀ ବିଭାଗର ସବ୍-ଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟିଛି।
ମୃତ ଅଧିକାରୀ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗରେ ସବ୍-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ପୁରୁଷୋତ୍ତମ ବେତ୍ତା। ରବିବାର ବିଭାଗୀୟ କାର୍ଯ୍ୟରେ ପାଟ୍ରୋଲିଂ ପାଇଁ ଯାଇଥିବା ସମୟରେ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷାରୁ ରକ୍ଷା ପାଇଁ ନିକଟସ୍ଥ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିବା ସୂଚନା ମିଳିଛି।
ବଜ୍ରପାତରେ ଘଟଣାସ୍ଥଳରେ ହିଁ ପୁରୁଷୋତ୍ତମଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପରେ ମୃତଦେହକୁ ତାଙ୍କ ଜନ୍ମମାଟି ଶ୍ରାନିକେତା ଗ୍ରାମକୁ ଅଣାଯାଇଥିଲା। ମୃତଦେହ ଗାଁରେ ପହଞ୍ଚିବା ପରେ ପରିବାରବର୍ଗ, ବନ୍ଧୁଜନ ଓ ସ୍ଥାନୀୟ ଗ୍ରାମବାସୀ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଜଣେ ନିଷ୍ଠାପର ଓ ଦାୟିତ୍ୱବାନ ଅଧିକାରୀଙ୍କ ଅକାଳ ବିୟୋଗରେ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
