କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝରଗଡ଼ ସହରର ବ୍ରହ୍ମେଶ୍ୱର ଏଚ୍ପି ଗ୍ୟାସ ଏଜେନ୍ସୀ ବିରୋଧରେ ଘରୋଇ ଉପଭୋକ୍ତାଙ୍କୁ ଠିକ୍ ସମୟରେ ରନ୍ଧନ ଗ୍ୟାସ ଯୋଗାଣ ନକରିବା ନେଇ ଅଭିଯୋଗ ଉଠିଛି। ଗ୍ୟାସ ବୁକିଂ କରିବା ପରେ ମଧ୍ୟ ନିର୍ଦ୍ଧାରିତ ସମୟରେ ସିଲିଣ୍ଡର ମିଳୁନଥିବାରୁ ଉପଭୋକ୍ତାମାନେ ଅସୁବିଧାରେ ପଡ଼ୁଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଉପଭୋକ୍ତାମାନେ ଅନଲାଇନ୍ ଓ ଆପ୍ ମାଧ୍ୟମରେ ଗ୍ୟାସ ବୁକିଂ କରୁଥିଲେ ମଧ୍ୟ ଦୀର୍ଘ ସମୟ ଧରି ଡେଲିଭରି ନମିଳିବାରୁ ବୁକିଂ ବାତିଲ ହୋଇଯାଉଛି। ଏହା ଫଳରେ ଗ୍ରାହକଙ୍କୁ ପୁଣିଥରେ ଗ୍ୟାସ ବୁକିଂ କରିବାକୁ ପଡ଼ୁଥିବା ଅଭିଯୋଗ ରହିଛି।
କେନ୍ଦୁଝରଗଡ଼ ସହର ସୀମାନ୍ତ ବାମ୍ପାର ଅଞ୍ଚଳର ୮୦ ବର୍ଷୀୟ ଫକୀର ମୋହନ ସାହୁ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ବାରମ୍ବାର ଗ୍ୟାସ ବୁକିଂ କରିଥିଲେ ମଧ୍ୟ ଏଜେନ୍ସୀ ପକ୍ଷରୁ ସମୟରେ ସିଲିଣ୍ଡର ଯୋଗାଇ ଦିଆଯାଇନଥିଲା। ଚଳିତ ମାସ ୧୭ ତାରିଖରେ ଏଚ୍ପି ପେ ଆପ୍ ମାଧ୍ୟମରେ ଅଗ୍ରିମ ଦେୟ ପୈଠ କରି ଗ୍ୟାସ ବୁକିଂ କରିଥିଲେ ମଧ୍ୟ ୫ ଦିନ ପରେ ବି ସିଲିଣ୍ଡର ମିଳିନଥିବା ସେ ଅଭିଯୋଗ କରିଛନ୍ତି।
ଏଥିସହ କେନ୍ଦୁଝରଗଡ଼ ସହରରେ ଘରୋଇ ଗ୍ୟାସ ସିଲିଣ୍ଡର କଳାବଜାରରେ ଅଧିକ ଦରରେ ବିକ୍ରି ହେଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ସିଲିଣ୍ଡର ୧୨ ଶହରୁ ୧୫ ଶହ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହେଉଥିବା କେତେକ ଉପଭୋକ୍ତା ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗର ସ୍ୱତନ୍ତ୍ର ଯାଞ୍ଚ ହେବା ଆବଶ୍ୟକତା ରହିଛି।
ଅନ୍ୟପକ୍ଷରେ, ଘରୋଇ ଉପଭୋକ୍ତାଙ୍କ ପାଇଁ ଉଦ୍ଦିଷ୍ଟ ଏଲ୍ପିଜି ସିଲିଣ୍ଡର ଶିଳ୍ପ ଓ ବ୍ୟବସାୟିକ ସଂସ୍ଥାକୁ ଯୋଗାଇ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହା ଫଳରେ ଘରୋଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା କୁହାଯାଉଛି।
ଗ୍ୟାସ ଯୋଗାଣ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବିଭିନ୍ନ ସମୟରେ ଅବଗତ କରାଯାଇଥିଲେ ମଧ୍ୟ ଅଭିଯୋଗର ସମାଧାନ ହୋଇନଥିବା ଉପଭୋକ୍ତାମାନେ କହିଛନ୍ତି। ଏନେଇ ସମ୍ପୃକ୍ତ ଗ୍ୟାସ ଏଜେନ୍ସୀ ଓ ଯୋଗାଣ ବିଭାଗ ପକ୍ଷରୁ ତଦନ୍ତ କରି ପ୍ରକୃତ ସ୍ଥିତି ସ୍ପଷ୍ଟ କରିବା ସହ ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି।
