ମୁରିବାହାଲ/ରାୟଗଡ଼ା/କଳାହାଣ୍ଡି (ଓଡ଼ିଶ୍ରୀ ସମ୍ବାଦ): ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରବିବାର କୁଟ୍ରୁମାଳି ଓ ସିଜିମାଳି ଅଞ୍ଚଳ ସମେତ କଣ୍ଟାମାଳ ଓ ତାଳମପଦର ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ଥାନୀୟ ଆଦିବାସୀ ଜନସାଧାରଣ, ଗ୍ରାମସଭା ସଦସ୍ୟ, ପାରମ୍ପରିକ ନେତୃବୃନ୍ଦ, ଆଦିବାସୀ କର୍ମୀ ଓ ବିଭିନ୍ନ ସମାଜ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ।
ପରିଦର୍ଶନ ସମୟରେ ସେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ର ନେତୃବୃନ୍ଦ, କର୍ମୀ ଓ ସଦସ୍ୟମାନଙ୍କ ସହ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ।
ଆଲୋଚନା ସମୟରେ ସ୍ଥାନୀୟ ଲୋକେ ନିଜ ଅଞ୍ଚଳର ଜଳ–ଜଙ୍ଗଲ–ଜମି, ପାହାଡ଼–ପର୍ବତ, ଡଙ୍ଗର, ନଦୀ–ନାଳ–ଝରଣା, ପ୍ରାକୃତିକ ସମ୍ପଦ ଓ ପରିବେଶ ସୁରକ୍ଷା ସମ୍ପର୍କରେ ନିଜର ମତ ରଖିଥିଲେ। ଏଥିସହ ଜୀବିକା, ସମ୍ଭାବ୍ୟ ବିସ୍ଥାପନ ଓ ପୁନର୍ବାସ ସମସ୍ୟା, ପାରମ୍ପରିକ ଜୀବନଶୈଳୀ, ସଂସ୍କୃତି ଏବଂ ସାମୁଦାୟିକ ପରିଚୟ ନେଇ ମଧ୍ୟ ସେମାନେ ନିଜର ଦାବି ଓ ଆଶଙ୍କା ଉପସ୍ଥାପନ କରିଥିଲେ।
ଆଦିବାସୀଙ୍କ ଜଳ–ଜଙ୍ଗଲ–ଜମି, ଜୀବିକା ଓ ସାଂସ୍କୃତିକ ପରିଚୟ ସୁରକ୍ଷା ସମ୍ପର୍କିତ ଦାବି ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିବା ଜଣାପଡ଼ିଛି।
