ଚଣ୍ଡିଖୋଲ (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ଛତିଆ ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୀର୍ଘଦିନ ଧରି ରାସ୍ତା କଡ଼ରେ ଗଢ଼ିଉଠିଥିବା ଦୋକାନ, ହୋଟେଲ ଓ କ୍ୟାବିନଗୁଡ଼ିକୁ ହଟାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିତ ଅଭିଯାନ ଚାଲିଛି।
ସୂଚନା ଅନୁସାରେ, ଛତିଆରୁ ପାଣିକୋଇଲି ପର୍ଯ୍ୟନ୍ତ ଜାତୀୟ ରାଜପଥ କଡ଼ର ଅନେକ ସ୍ଥାନରେ ଜବରଦଖଲ ଯୋଗୁଁ ରାସ୍ତା ସଙ୍କୁଚିତ ହୋଇପଡ଼ିଛି। ଫଳରେ ଏହି ଅଞ୍ଚଳରେ ବାରମ୍ବାର ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ବିଶେଷକରି ଛତିଆବଟ ଦେଇ ଯାତାୟାତ କରୁଥିବା ଯାନବାହନ ଯୋଗୁଁ ଏଠାରେ ଅଧିକ ଭିଡ଼ ସୃଷ୍ଟି ହେଉଛି।
ଏହାକୁ ଦୃଷ୍ଟିରେ ରଖି ଦର୍ପଣ ତହସିଲ ପ୍ରଶାସନ, ଜାତୀୟ ରାଜପଥ ଅଧିକାରୀ ଓ ବୈରୀ ପୋଲିସର ମିଳିତ ଉଦ୍ୟମରେ ବୁଲଡୋଜର ଲଗାଇ ରାସ୍ତା କଡ଼ରୁ ଜବରଦଖଲ ହଟାଯାଉଛି। ରାଜପଥ କଡ଼ରେ ଅନଧିକୃତ ଭାବେ ବ୍ୟବସାୟ କରୁଥିବା ଦୋକାନୀଙ୍କ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ୁଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
ପୁନର୍ବାର ରାଜପଥ କଡ଼ରେ ଜବରଦଖଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଅନ୍ୟପକ୍ଷରେ, କିଛି ବ୍ୟବସାୟୀ ଏହି ବ୍ୟବସାୟ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଦର୍ଶାଇ ଥଇଥାନ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।
