• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଏମଆଇଏସ୍ କମ୍ପ୍ୟୁଟର ପ୍ରୋଗ୍ରାମର, କମ୍ୟୁନିଟି ଅର୍ଗାନାଇଜର ଓ ଆକାଉଣ୍ଟାଣ୍ଟଙ୍କ ଚାକିରି ନିୟମିତ ଦାବି, ଧାରଣାରେ ସଂଘ

Byodishri Live

Sep 23, 2026

ଭୁବନେଶ୍ୱର (ଓଡ଼ିଶ୍ରୀ ସମ୍ବାଦ): ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ବିଭିନ୍ନ ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ରେ କାର୍ଯ୍ୟରତ ଏମଆଇଏସ୍ କମ୍ପ୍ୟୁଟର ପ୍ରୋଗ୍ରାମର, କମ୍ୟୁନିଟି ଅର୍ଗାନାଇଜର ଓ ଆକାଉଣ୍ଟାଣ୍ଟମାନଙ୍କ ଚାକିରି ନିୟମିତ କରିବା ଦାବିରେ ଧାରଣା ଦିଆଯାଇଛି।

ସମଗ୍ର ଓଡ଼ିଶା ପୌର ଚୁକ୍ତିଭିତ୍ତିକ ସଂଘ ପକ୍ଷରୁ ଆୟୋଜିତ ଏହି ଧାରଣା ମାଧ୍ୟମରେ ଦୀର୍ଘ ୧୩ରୁ ୧୭ ବର୍ଷ ଧରି ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟ କରିଆସୁଥିବା କର୍ମଚାରୀଙ୍କ ସମସ୍ୟା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ସହରାଞ୍ଚଳ ବିକାଶ ସହିତ ସରକାରୀ ସେବାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ଏହି କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ସହରାଞ୍ଚଳର ଡାଟା ପରିଚାଳନା, ବିଭିନ୍ନ ଉନ୍ନୟନମୂଳକ ଯୋଜନାର ହିସାବକିତାବ ଏବଂ ତୃଣମୂଳ ସ୍ତରରେ ସାମାଜିକ କଲ୍ୟାଣକାରୀ କାର୍ଯ୍ୟକ୍ରମର ରୂପାୟଣରେ ସେମାନେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଛନ୍ତି।

ସଂଘର ଦାବି ଅନୁସାରେ, ରାଜ୍ୟ ସରକାର ବିଭିନ୍ନ ବିଭାଗରେ ଚୁକ୍ତିଭିତ୍ତିକ ପ୍ରଥାର ଉଚ୍ଛେଦ କରି କର୍ମଚାରୀମାନଙ୍କୁ ନିୟମିତ କରିବା ଦିଗରେ ପଦକ୍ଷେପ ନେଇଥିବାବେଳେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟରତ ପୌର ଚୁକ୍ତିଭିତ୍ତିକ କର୍ମଚାରୀମାନେ ଏପର୍ଯ୍ୟନ୍ତ ନିୟମିତକରଣରୁ ବଞ୍ଚିତ ଅଛନ୍ତି।

ସଂଘ ପକ୍ଷରୁ ନିମ୍ନଲିଖିତ ଦାବି ଉପସ୍ଥାପନ କରାଯାଇଛି—

୧. ସମସ୍ତ ଚୁକ୍ତିଭିତ୍ତିକ ପଦବୀର ନିୟମିତକରଣ:
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ ଏମଆଇଏସ୍ କମ୍ପ୍ୟୁଟର ପ୍ରୋଗ୍ରାମର, କମ୍ୟୁନିଟି ଅର୍ଗାନାଇଜର ଓ ଆକାଉଣ୍ଟାଣ୍ଟମାନଙ୍କ ଚାକିରିକୁ ସ୍ଥାୟୀ ବା ନିୟମିତ କରାଯାଉ।

୨. ପୂର୍ବ ସେବା ଅବଧିକୁ ଗଣନା:
କର୍ମଚାରୀମାନେ ଯେଉଁ ତାରିଖରୁ କାର୍ଯ୍ୟରେ ଯୋଗଦେଇଛନ୍ତି, ସେହି ତାରିଖଠାରୁ ସେମାନଙ୍କ ସମ୍ପୂର୍ଣ୍ଣ ସେବା ଅବଧିକୁ ଗଣନା କରି ଚାକିରିର ସେବା ସର୍ତ୍ତାବଳୀ ନିର୍ଦ୍ଧାରଣ କରାଯାଉ।

ସଂଘ ପକ୍ଷରୁ ଦାବିଗୁଡ଼ିକ ଉପରେ ସରକାର ତୁରନ୍ତ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *