ବରୀ (ଓଡ଼ିଶ୍ରୀ ସମ୍ବାଦ): ବନ୍ୟା ନିୟନ୍ତ୍ରଣ ପାଇଁ ଦୀର୍ଘକାଳୀନ ଯୋଜନାର ଆବଶ୍ୟକତା ରହିଛି। ଏଥିପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ସଂସ୍ଥା ଗଠନ କରାଯାଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରାଗଲେ ଏହା ଅନେକାଂଶରେ କାର୍ଯ୍ୟକାରୀ ହୋଇପାରିବ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ବରିଷ୍ଠ ନେତା ଆଶୁତୋଷ ପରିଡା କହିଛନ୍ତି।
ଶ୍ରୀ ପରିଡା କହିଛନ୍ତି ଯେ, ବନ୍ୟା ନିୟନ୍ତ୍ରଣ, ଜଳସେଚନ ଏବଂ ବନ୍ୟା ଓ ବର୍ଷାଜଳ ନିଷ୍କାସନ ପାଇଁ ସ୍ୱତନ୍ତ୍ର ଡିପିଆର୍ ପ୍ରସ୍ତୁତ ହେବା ଜରୁରୀ। ଏଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଓ ସମ୍ମିଳିତ ଯୋଜନା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ବରୀ ଅଞ୍ଚଳର ବନ୍ୟା ସମସ୍ୟା ସମ୍ପର୍କରେ ମତ ରଖି ଶ୍ରୀ ପରିଡା କହିଛନ୍ତି ଯେ, ୧୯୪୦ ମସିହାରେ ଆଳି ରାଜା ବରୀଠାରୁ ପ୍ରାୟ ୬୦ କିଲୋମିଟର ତଳକୁ ଆଳି ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ଏକ ରିଂ ବନ୍ଧ ନିର୍ମାଣ କରିଥିଲେ। ଏହାର ପ୍ରଭାବରେ ବରୀ ଅଞ୍ଚଳ ଦୀର୍ଘଦିନ ଧରି ବନ୍ୟାପ୍ରବଣ ଧୋୟା ଅଞ୍ଚଳରେ ପରିଣତ ହୋଇଥିବା ସେ ଦାବି କରିଛନ୍ତି। ଖରସ୍ରୋତାର ଦକ୍ଷିଣ ଭାଗରେ ଥିବା ରିଂ ବନ୍ଧକୁ ମଧ୍ୟ ସେ ବରୀର ବନ୍ୟା ସମସ୍ୟା ସହ ଯୋଡ଼ିଛନ୍ତି।
ସେହିପରି ୧୯୬୦-୬୧ ମସିହାରେ ତତ୍କାଳୀନ ସରକାର ଆରମ୍ଭ କରିଥିବା ମଦନପୁର (ଆଳି) କଟ୍ ଯୋଜନା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନଥିବା ଶ୍ରୀ ପରିଡା କହିଛନ୍ତି। ଯୋଜନା ଆରମ୍ଭ ହେବାର ପ୍ରାୟ ଏକ ବର୍ଷ ପରେ କାମ ବନ୍ଦ ହୋଇଯାଇଥିବାରୁ ଏହାର ପରିଣାମ ବରୀବାସୀ ଭୋଗୁଥିବା ସେ ଦାବି କରିଛନ୍ତି।
ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ (ବୁଢ଼ା) ନଦୀର ଦ୍ୱୀପାଞ୍ଚଳ ଓ ନିମ୍ନଭୂମି ଅଞ୍ଚଳ ଭାବେ ବରୀ ରହିଥିବାରୁ ବନ୍ୟା ସମସ୍ୟା ଲାଗି ରହୁଥିବା ସେ କହିଛନ୍ତି।
ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ସେ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟିଥିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବିପତ୍ର ଦେଇଥିବା ସୂଚନା ଦେଇଛନ୍ତି।
