କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): ପବିତ୍ର ସୁନିଆ ତଥା ବାମନ ଜନ୍ମ ଅବସରରେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଝାରବେଲଦା ଗ୍ରାମରେ ଏକ ଭାଗବତ ଟୁଙ୍ଗି ଉନ୍ମୋଚନ ସହ ବାମନ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ଚନ୍ଦ୍ରମଣି ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ପ୍ରଥମେ ପଣ୍ଡିତ ମନ୍ମଥ ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ଭାଗବତ ଗାଦି ସ୍ଥାପନ କରାଯାଇଥିଲା। ମୁଖ୍ୟ କର୍ତ୍ତା ସୁନୀଲ କୁମାର ସିଂ ଓ ତାଙ୍କ ସହଧର୍ମିଣୀ ଅଙ୍କିତା ସିଂ ଏଥିରେ ସହଯୋଗ କରିଥିଲେ।
ପରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତିର ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ଭାଗବତ ଟୁଙ୍ଗି ଉନ୍ମୋଚନ କରିଥିଲେ। ସ୍ୱର୍ଗତ ଜଗନ୍ନାଥ ସିଂଙ୍କ ସ୍ମୃତିରେ ଟୁଙ୍ଗିକୁ ‘ଜଗନ୍ନାଥ ଭାଗବତ ଟୁଙ୍ଗି’ ଭାବେ ନାମିତ କରାଯାଇଥିଲା। ଏହି ଅବସରରେ ସରପଞ୍ଚ ଚନ୍ଦ୍ରମଣି ସିଂଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଯାଇ ଭାଗବତ ଗ୍ରନ୍ଥ ଅର୍ପଣ କରାଯାଇଥିଲା।
ବାମନ ଜନ୍ମ ଉତ୍ସବ ଅବସରରେ ଭାଗବତର ଅଷ୍ଟମ ସ୍କନ୍ଧର ସପ୍ତଦଶ ଅଧ୍ୟାୟର ବାମନ ଜନ୍ମ ପ୍ରସଙ୍ଗ ପାଠ କରାଯାଇଥିଲା। ପରେ ସଦର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତିର ସଭାପତି ପ୍ରସନ୍ନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସତସଙ୍ଗ ଅଧିବେଶନ ଆରମ୍ଭ ହୋଇଥିଲା।
ଏଥିରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତିର ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ, ସମ୍ପାଦକ ପ୍ରାଧ୍ୟାପକ ଜଗନ୍ନାଥ ଜେନା, ଉପସଭାପତି ଖଗେଶ୍ୱର ମହାନ୍ତ, ଉପଦେଷ୍ଟା ଭଜ ବେହେରା ଓ ରବୀନ୍ଦ୍ର କୁମାର ପାଢ଼ୀ, ବରିଷ୍ଠ ସଭ୍ୟ ପୁରୁଷୋତ୍ତମ ଜେନା, କେନ୍ଦୁଝରଗଡ଼ ପୌରାଞ୍ଚଳ ସମ୍ପାଦକ ଅକ୍ଷୟ କୁମାର ଦାସ, ସଦର ବ୍ଲକ ସଭାପତି ଜିତେନ୍ଦ୍ର ବେହେରା, ସମ୍ପାଦକ ପ୍ରଣବଧ୍ୱଜ କବି, ବେଲଦା ଭାଗବତ ଟୁଙ୍ଗି ଉପଦେଷ୍ଟା ଆକୁଳି ଚରଣ ଚକ୍ର ଏବଂ ବାଦାମପଟି ରାଧାକୃଷ୍ଣ ଭାଗବତ ଟୁଙ୍ଗିର ପୁରାଣ ପଣ୍ଡା ଲାଲମୋହନ ଗିରି ପ୍ରମୁଖ ଯୋଗଦେଇ ଭାଗବତ ଟୁଙ୍ଗିର ଆବଶ୍ୟକତା ଓ ବାମନ ଭଗବାନଙ୍କ ଆବିର୍ଭାବ ସମ୍ପର୍କରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ସିଂହ, ପ୍ରତିପଦା ମହାନ୍ତ, ଶଶିକଳା ନାୟକ, ପୂଜାରାଣୀ ନାୟକ, ଜ୍ୟୋତ୍ସ୍ନାରାଣୀ ସିଂହ, ଲିଜି ସିଂହ, ଲକ୍ଷ୍ମୀ ସିଂହ ଓ ସିପ୍ରା ସିଂହଙ୍କ ସମେତ ବହୁ ଗ୍ରାମବାସୀ ସହଯୋଗ କରିଥିଲେ।
ପରିଶେଷରେ ସ୍ୱର୍ଗତ ଜଗନ୍ନାଥ ସିଂହଙ୍କ ଅମର ଆତ୍ମାର ଶାନ୍ତି ଓ ସଦଗତି କାମନା କରି ସାମୂହିକ ପ୍ରାର୍ଥନା କରାଯାଇଥିଲା। ଏହାପରେ ଭଜନ-କୀର୍ତ୍ତନ ପରିବେଷଣ ସହ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଥିଲା।
