ବେତାଳିଗା (ଓଡ଼ିଶ୍ରୀ ସମ୍ବାଦ): ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଳସାହି ଅଞ୍ଚଳର ସମାଜସେବୀ ତଥା ନେତାଜୀ ଜୟନ୍ତୀ କମିଟିର ସମ୍ପାଦକ ମୃତ୍ୟୁଞ୍ଜୟ ସାହୁ (ରୋଗା ଭାଇ)ଙ୍କ ଅକାଳ ବିୟୋଗରେ କମିଟି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।
ନେତାଜୀ ଜୟନ୍ତୀ କମିଟି ସଭାପତି ବିଦ୍ୟାଧର ବାରିକଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ କମିଟିର ସମସ୍ତ ସଦସ୍ୟଙ୍କ ସମେତ ବଜାର କମିଟି ସଦସ୍ୟ ଓ ଅଞ୍ଚଳର ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟମାନେ ଯୋଗଦେଇଥିଲେ।
ସଭାରେ ଧାମନଗର ବ୍ଲକ ଆଇନଜୀବୀ ତଥା କଂଗ୍ରେସର ପୂର୍ବତନ ସଭାପତି ରମେଶ ଚନ୍ଦ୍ର ବେହେରା, ପୂର୍ବତନ ସରପଞ୍ଚ ଅନିଲ କୁମାର ଦାଶ, ନିମାଇଁ ଚରଣ ବାରିକ, କ୍ଷୀରୋଦ କୁମାର ବଳ, ମାର୍କଣ୍ଡ ଜେନା, କଂଗ୍ରେସ ନେତା ତ୍ରିଲୋଚନ ଦାସ, ଅନ୍ତର୍ଯ୍ୟାମୀ ପତି, ଯୁବନେତା କପିଳଦେବ ବିଶ୍ୱାଳ, ସମାଜସେବୀ ମିଥୁନ ଜେନା ଓ ମନୋଜ ବେହେରା ପ୍ରମୁଖ ଯୋଗଦେଇଥିଲେ।
ଉପସ୍ଥିତ ବକ୍ତାମାନେ ମୃତ୍ୟୁଞ୍ଜୟ ସାହୁଙ୍କ ସହ ଥିବା ଆତ୍ମୀୟ ସମ୍ପର୍କ ଓ ସ୍ମୃତିଚାରଣ କରିଥିଲେ। ତାଙ୍କର ସରଳ, ମେଳାପୀ ଓ ସେବାମନୋଭାବୀ ବ୍ୟକ୍ତିତ୍ୱକୁ ସ୍ମରଣ କରିବା ସହ ତାଙ୍କ ବିୟୋଗ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ କହିଥିଲେ।
ଏହି ଅବସରରେ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ମାନସିକ ଶକ୍ତି ପ୍ରଦାନ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଶେଷରେ ଉପସ୍ଥିତ ସମସ୍ତେ ମୃତ୍ୟୁଞ୍ଜୟ ସାହୁଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
