ବାଲିଗୁଡ଼ା (ଓଡ଼ିଶ୍ରୀ ସମ୍ବାଦ): ଲଗାଣ ବର୍ଷା ଯୋଗୁଁ ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ସିଙ୍ଗମିଲା ଗ୍ରାମକୁ ସଂଯୋଗ କରୁଥିବା ଏକ ଛୋଟ ପୋଲ ଭୁଶୁଡ଼ି ପଡ଼ିଛି। ଫଳରେ ଗ୍ରାମବାସୀ ବାହ୍ୟ ଜଗତ ସହ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇପଡ଼ିଥିବା ଅଭିଯୋଗ ହୋଇଛି।
ପୋଲ ଭାଙ୍ଗିଯିବା ପରେ ଗ୍ରାମବାସୀଙ୍କ ଦୈନନ୍ଦିନ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍କୁଲ, ହାଇସ୍କୁଲ ଓ କଲେଜ ଯିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଏଥିସହ ଜରୁରୀ ସମୟରେ ରୋଗୀଙ୍କୁ ଚିକିତ୍ସାଳୟ ନେବା ନେଇ ମଧ୍ୟ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି।
ଗ୍ରାମବାସୀଙ୍କ କହିବାନୁଯାୟୀ, ଏହି ପୋଲଟି କିଛି ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା। ତେବେ ଗତ ପ୍ରାୟ ତିନି ବର୍ଷ ଧରି ପୋଲର ଅବସ୍ଥା ଦୁର୍ବଳ ରହିଥିଲା। ଏନେଇ ଅଞ୍ଚଳବାସୀ ବ୍ଲକ ପ୍ରଶାସନକୁ ଲିଖିତ ଭାବେ ଜଣାଇବା ସହ ପୋଲର ମରାମତି କିମ୍ବା ପୁନଃନିର୍ମାଣ ପାଇଁ ଦାବି କରିଥିବା କହିଛନ୍ତି।
ତେବେ ଅଭିଯୋଗ ସତ୍ତ୍ୱେ ସମୟୋଚିତ ପଦକ୍ଷେପ ନିଆଯାଇନଥିବାରୁ ପ୍ରବଳ ବର୍ଷାଜଳର ସ୍ରୋତରେ ପୋଲଟି ଭୁଶୁଡ଼ି ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୋଲ ଭାଙ୍ଗିଯିବା ଯୋଗୁଁ ସିଙ୍ଗମିଲାରୁ ବାଟାଗୁଡ଼ା ପଞ୍ଚାୟତ ଓ ବାଲିଗୁଡ଼ା ବ୍ଲକକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଏପରି ସ୍ଥିତିରେ ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଅସ୍ଥାୟୀ ପୋଲ ନିର୍ମାଣ କରି ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ କରିବା ସହ ସ୍ଥାୟୀ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନେଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
