ବଡ଼ଚଣା (ଓଡ଼ିଶ୍ରୀ ସମ୍ବାଦ): ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ବିଜ୍ଞାନ ବିଭାଗର ପ୍ରଥମ ବର୍ଷ ଦ୍ୱିତୀୟ ସେମିଷ୍ଟାର ଗଣିତ ପରୀକ୍ଷାକୁ ବାତିଲ କରାଯାଇଥିବା ଘଟଣା ଚର୍ଚ୍ଚାରେ ରହିଛି। ପରୀକ୍ଷା ଶେଷ ହେବା ପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷାଟିକୁ ବାତିଲ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତକାଲି ସକାଳେ ଛାତ୍ରଛାତ୍ରୀମାନେ ଗଣିତ ପରୀକ୍ଷା ଦେଇଥିଲେ। ତେବେ ଅପରାହ୍ନରେ କଲେଜ ଅଧ୍ୟକ୍ଷ ପ୍ରୀୟବ୍ରତ ମହାନ୍ତି ପରୀକ୍ଷାଟିକୁ ବାତିଲ କରିଥିବା ଜଣାପଡ଼ିଛି।
ବିଶ୍ୱସ୍ତ ସୂତ୍ରର ଦାବି ଅନୁଯାୟୀ, ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇ ଭାଇରାଲ ହୋଇଥିବା ନେଇ ସୂଚନା ମିଳିଥିଲା। ଏହାପରେ ପରୀକ୍ଷା ବାତିଲ କରାଯାଇଥିବା ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଘଟଣାର ସତ୍ୟତା ନେଇ ମହାବିଦ୍ୟାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।
ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ କଲେଜ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିବା ଜଣାପଡ଼ିଛି।
ପ୍ରଶ୍ନପତ୍ର ଲିକ୍ ଘଟଣାରେ ଯଦି କେହି ସମ୍ପୃକ୍ତ ଥାଆନ୍ତି, ସେମାନଙ୍କୁ ଚିହ୍ନଟ କରି ତଦନ୍ତ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରୁ ଦାବି ହୋଇଛି। ଏହାସହ ବାତିଲ ହୋଇଥିବା ପରୀକ୍ଷା ପୁନର୍ବାର କେବେ ଅନୁଷ୍ଠିତ ହେବ, ସେନେଇ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ରହିଛି।
