ସିମନବାଡି (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଧୀନ ସିମନବାଡିଠାରେ ନିର୍ମିତ ୩୩/୧୧ କେଭି ବିଦ୍ୟୁତ ସବ୍ଷ୍ଟେସନ୍ର ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ହେଲା ଶେଷ ହୋଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ସବ୍ଷ୍ଟେସନ୍ରୁ ବିଭିନ୍ନ ଫିଡରକୁ ବିଦ୍ୟୁତ ଯୋଗାଣ ପାଇଁ ଆବଶ୍ୟକ କାର୍ଯ୍ୟ ଶେଷ ହୋଇଥିବା ବେଳେ କର୍ମଚାରୀ ଅଭାବ ଯୋଗୁଁ ଏହାକୁ ସମ୍ପୂର୍ଣ୍ଣ ଭାବେ ଚାଲୁ କରାଯାଇପାରୁନଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ସିମନବାଡି ସମେତ ଆଖପାଖ ଅଞ୍ଚଳରେ ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଥିବା ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି।
ଏନେଇ ବିଭାଗୀୟ ମୁଖ୍ୟ ତଥା ନିର୍ବାହୀ ଯନ୍ତ୍ରୀ ଇଂ. ମାନସ ରଞ୍ଜନ ମହାରଣାଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ତାଙ୍କ କହିବା ଅନୁଯାୟୀ, ସବ୍ଷ୍ଟେସନ୍ର ପ୍ରାୟ ୯୦ ପ୍ରତିଶତ କାର୍ଯ୍ୟ ସରିଛି। ଏହାର ପରିଚାଳନା ପାଇଁ ୪ ଜଣ କର୍ମଚାରୀଙ୍କୁ ଚୟନ କରାଯାଇଥିବା ବେଳେ ୨ ଜଣଙ୍କୁ ତାଲିମ ଦିଆଯାଇଛି। ଅନ୍ୟ ୨ ଜଣ କର୍ମଚାରୀ ଅନୁପସ୍ଥିତ ଥିବାରୁ ସବ୍ଷ୍ଟେସନ୍ଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରାଯାଇପାରୁନଥିବା ସେ କହିଛନ୍ତି।
ସିମନବାଡି ୧୧ କେଭି ଫିଡର ଉପରେ ଅନେକ ପଞ୍ଚାୟତ ନିର୍ଭରଶୀଳ ଥିବା ବେଳେ ପ୍ରାୟ ୫୦୦ କିଲୋମିଟର ଦୂରତାରେ ବିଦ୍ୟୁତ ତାର ଟଣାଯାଇଥିବା ଜଣାପଡ଼ିଛି। ଦୀର୍ଘ ଲାଇନ୍ ଯୋଗୁଁ ବର୍ଷା ଓ ପବନ ସମୟରେ ବିଦ୍ୟୁତ ସେବା ପ୍ରଭାବିତ ହେଉଥିବା ଉପଭୋକ୍ତାମାନେ କହିଛନ୍ତି।
ବିଭାଗୀୟ ଅଧିକାରୀଙ୍କ ଅନୁଯାୟୀ, ଛୁଟିରେ ଥିବା ୨ ଜଣ କର୍ମଚାରୀଙ୍କୁ ତାଲିମ ଦିଆଯିବା ପରେ ସବ୍ଷ୍ଟେସନ୍କୁ ଅଧିକ ସୁଚାରୁ ଭାବେ ଚଳାଇବା ସମ୍ଭବ ହେବ। ଚଳିତ ମାସ ଶେଷ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଅଧିକାରୀ ଆଶା ପ୍ରକାଶ କରିଛନ୍ତି।
ସିମନବାଡିଠାରେ ତିନିଟି ଫିଡର ପାଇଁ ସବ୍ଷ୍ଟେସନ୍ ନିର୍ମାଣ କରାଯାଇଥିଲେ ମଧ୍ୟ ଏହା ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ନହେବା ନେଇ ସ୍ଥାନୀୟ ଲୋକପ୍ରତିନିଧି ଓ ବ୍ୟବସାୟୀମାନେ ଉଦବେଗ ପ୍ରକାଶ କରିଛନ୍ତି। ସିମନବାଡି ସରପଞ୍ଚ ଅମିତା ପ୍ରଧାନ, ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ, ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ, ସାଧୁ ନାୟକ, ବଣିକ ସଂଘ ସଭାପତି ମହେଶ ସାହୁ ଓ ଯୁବକ ଅମରେନ୍ଦ୍ର ପ୍ରଧାନ ପ୍ରମୁଖ ତୁରନ୍ତ ସବ୍ଷ୍ଟେସନ୍ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।
ସେମାନେ କହିଛନ୍ତି, ଆବଶ୍ୟକ ମେସିନ୍, ଉଚ୍ଚ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର ଓ ପର୍ଯ୍ୟାପ୍ତ କର୍ମଚାରୀ ନିଯୁକ୍ତ କରି ସବ୍ଷ୍ଟେସନ୍କୁ ଶୀଘ୍ର କାର୍ଯ୍ୟକ୍ଷମ କରାନଗଲେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟ ହେବେ।
