ମାହାଙ୍ଗା (ଓଡ଼ିଶ୍ରୀ ସମ୍ବାଦ): ମାହାଙ୍ଗା ବ୍ଲକ ଅନ୍ତର୍ଗତ ଜଳେଶ୍ୱରପୁର ପଞ୍ଚାୟତର ୪ ନମ୍ବର ୱାର୍ଡ ମହାନ୍ତି ସାହି ନିକଟରେ ଗୋବରୀ ନଦୀବନ୍ଧ ଭୁଶୁଡ଼ି ପଡ଼ିବାରୁ ସ୍ଥାନୀୟ ଲୋକେ ଗମନାଗମନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ଗତ ଲଘୁଚାପଜନିତ ଲଗାଣ ବର୍ଷାରେ ନଦୀବନ୍ଧ ରାସ୍ତାର ଉପରିଭାଗରେ ଫାଟ ସୃଷ୍ଟି ହୋଇଥିଲା। ପରେ ଧୀରେ ଧୀରେ ମାଟି ଧୋଇଯିବା ସହ ନଦୀବନ୍ଧର ଏକ ବଡ଼ ଅଂଶ ନଦୀଗର୍ଭକୁ ଚାଲିଯାଇଥିବା ଜଣାପଡ଼ିଛି।
ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟିକୁ ଏହି ସମସ୍ୟା ଆସିବା ପରେ ଅସ୍ଥାୟୀ ପ୍ରତିକାର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ଡ୍ରେନେଜ ବିଭାଗ ପକ୍ଷରୁ କାଠ ବଲ୍ଲା ଓ ଡଷ୍ଟ ଗୁଣ୍ଡ ବ୍ୟବହାର କରି ରାସ୍ତା ମରାମତି କରାଯାଇଥିଲା। ତେବେ କିଛି ଦିନ ପରେ ପୁଣି ନଦୀବନ୍ଧଟି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ନଦୀ ମଧ୍ୟକୁ ଚାଲିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।
ଏହି ରାସ୍ତାଟି ଗ୍ରାମବାସୀଙ୍କ ପାଇଁ ଏକମାତ୍ର ଗମନାଗମନ ମାର୍ଗ ହୋଇଥିବାରୁ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଏବେ ଅସୁବିଧାରେ ପଡ଼ିଛନ୍ତି। ରାସ୍ତା ଭାଙ୍ଗିଯିବାରୁ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଯାତାୟାତରେ ସମସ୍ୟା ଭୋଗୁଥିବା ବେଳେ ଜରୁରୀ ସମୟରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ମଧ୍ୟ ଗ୍ରାମ ଭିତରକୁ ପହଞ୍ଚିବା କଷ୍ଟକର ହୋଇପଡ଼ିଛି।
ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନଦୀବନ୍ଧର ଦୃଢ଼ୀକରଣ ସହ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀମାନେ ସ୍ଥାନୀୟ ବିଧାୟକ ଓ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି।
