ଧର୍ମଶାଳା (ଓଡ଼ିଶ୍ରୀ ସମ୍ବାଦ): ଧର୍ମଶାଳା ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ଭୁବନେଶ୍ୱରସ୍ଥିତ ବିଧାୟକ ହିମାଂଶୁ ଶେଖର ସାହୁଙ୍କ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଧାୟକଙ୍କ ଉପସ୍ଥିତିରେ ଧର୍ମଶାଳାର ସମାଜସେବୀ ତଥା ବିଜେଡିର ପୂର୍ବତନ ରାଜ୍ୟ ଯୁବ ଉପସଭାପତି ଓ ଯାଜପୁର ଜିଲ୍ଲା ପୂର୍ବତନ ଯୁବ ଉପସଭାପତି ରାକେଶ କୁମାର ନାୟକ ତାଙ୍କ ସହକର୍ମୀ ଓ ସମର୍ଥକଙ୍କ ସହ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି।
ରାକେଶ କୁମାର ନାୟକ ଓ ତାଙ୍କ ସମର୍ଥକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ, ସୁଶାସନ ଓ ବିକାଶମୂଳକ ନୀତି ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବିଜେପିରେ ସାମିଲ ହୋଇଥିବା କହିଛନ୍ତି। ଏଥିସହ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଜନହିତକର କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ସେମାନେ ବିଜେପିରେ ଯୋଗଦେଇଥିବା ପ୍ରକାଶ କରିଛନ୍ତି।
ବିଧାୟକ ହିମାଂଶୁ ଶେଖର ସାହୁ ନୂତନ ଭାବେ ଦଳରେ ସାମିଲ ହୋଇଥିବା ରାକେଶ କୁମାର ନାୟକ ଓ ତାଙ୍କ ସମର୍ଥକମାନଙ୍କୁ ବିଜେପି ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ। ଧର୍ମଶାଳାର ବିକାଶ ଓ ଜନସେବା କ୍ଷେତ୍ରରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ଏହି ମିଶ୍ରଣ ପର୍ବ ମାଧ୍ୟମରେ ଦଳୀୟ ସଂଗଠନ ଓ ଜନସେବା କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଅଧିକ ବ୍ୟାପକ କରାଯିବ ବୋଲି ବିଧାୟକ ସାହୁ କହିଥିଲେ।
କାର୍ଯ୍ୟକ୍ରମରେ ଯୁବନେତା ରାକେଶ ପାଳ, ଦେବରାଜ ମିଶ୍ର, ଜିତେନ୍ଦ୍ର ରାଉତ, ପ୍ରଦୀପ ପରିଡ଼ା, ଶ୍ରୀବତ୍ସ ଧୀର ଓ ଗୌତମ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
