• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଚାରମାଳ ଗ୍ରାମୀଣ ପାର୍କ

Byodishri Live

Sep 26, 2026

ଚାରମାଳ (ଓଡ଼ିଶ୍ରୀ ସମ୍ବାଦ): ଗ୍ରାମାଞ୍ଚଳର ଲୋକଙ୍କ ମନୋରଞ୍ଜନ ଓ ଶିଶୁମାନଙ୍କ ଖେଳକୁଦ ପାଇଁ ନିର୍ମିତ ଚାରମାଳ ଗ୍ରାମୀଣ ପାର୍କ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ନିୟମିତ ତଦାରଖ ଓ ସଫେଇ ଅଭାବରୁ ପାର୍କର ପରିବେଶ ନଷ୍ଟ ହେବା ସହ ଏହା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପାର୍କ ନିର୍ମାଣ ପରେ ସକାଳ ଓ ସନ୍ଧ୍ୟା ସମୟରେ ବହୁ ସଂଖ୍ୟାରେ ଶିଶୁ, ମହିଳା ଓ ବରିଷ୍ଠ ନାଗରିକ ଏଠାକୁ ଆସୁଥିଲେ। ହେଲେ ଦୀର୍ଘଦିନ ଧରି ପାର୍କର ମରାମତି ଓ ସଫେଇ କରାଯାଉନଥିବାରୁ ସ୍ଥିତି ବିଗିଡ଼ିଛି।

ପାର୍କରେ ଥିବା ଶିଶୁମାନଙ୍କ ଦୋଳି, ସ୍ଲାଇଡ୍‌ ଓ ଅନ୍ୟାନ୍ୟ ଖେଳ ସରଞ୍ଜାମ ଭାଙ୍ଗି ନଷ୍ଟ ହୋଇଯାଇଥିବାରୁ ଏଗୁଡ଼ିକ ବ୍ୟବହାର କଲେ ଦୁର୍ଘଟଣାର ଆଶଙ୍କା ରହିଥିବା ଅଞ୍ଚଳବାସୀ କହିଛନ୍ତି। ପାର୍କ ପରିସରରେ ବଡ଼ ବଡ଼ ଘାସ ଓ ଜଙ୍ଗଲି ଗଛଲତା ମାଡ଼ିଯାଇଥିବାରୁ ପରିବେଶ ଅପରିଷ୍କାର ହୋଇପଡ଼ିଛି।

ସେହିପରି ସନ୍ଧ୍ୟା ସମୟରେ ପାର୍କରେ ଆଲୋକ ବ୍ୟବସ୍ଥା ନଥିବାରୁ ଅନ୍ଧକାର ରହୁଥିବା ଅଭିଯୋଗ ହୋଇଛି। ଏଥିସହ ପାର୍କ ପରିସରରେ ସରୀସୃପଙ୍କ ଭୟ ମଧ୍ୟ ରହୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସରକାରୀ ଅର୍ଥରେ ନିର୍ମିତ ଏହି ପାର୍କର ଏଭଳି ସ୍ଥିତିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ପାର୍କର ସଫେଇ, ଭଙ୍ଗା ଖେଳ ସରଞ୍ଜାମର ମରାମତି, ଆଲୋକ ବ୍ୟବସ୍ଥା ଓ ଆବଶ୍ୟକ ରକ୍ଷଣାବେକ୍ଷଣ କରି ଏହାର ପୁନରୁଦ୍ଧାର ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ପ୍ରଶାସନ ଏବଂ ଗ୍ରାମ ପଞ୍ଚାୟତ ନିକଟରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *