କୋରାପୁଟ (ଓଡ଼ିଶ୍ରୀ ସମ୍ବାଦ): ଝଡ଼ରେ ଉଡ଼ିଗଲା ଘରର ଛାତ। ମୁଣ୍ଡ ଗୁଞ୍ଜିବାକୁ ନିଜ ଘର ନଥିବାରୁ ୫ ମାସର ଶିଶୁକୁ କୋଳରେ ଧରି ଅନ୍ୟ ଜଣଙ୍କ ବାରଣ୍ଡାରେ ଆଶ୍ରୟ ନେଇ ଦିନ କାଟୁଛନ୍ତି ହୃଷିକେସ ଓ ଜମ୍ବାବତୀ ଜାନିଙ୍କ ପରିବାର। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଚଣାବାଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେ. ବେଡାପଦର ଗ୍ରାମରୁ ଏଭଳି ଏକ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି।
ପରିବାରର ସୂଚନା ଅନୁସାରେ, ଗତ ୨୪ ତାରିଖ ରାତିରୁ ୨୫ ତାରିଖ ପାହାନ୍ତିଆ ସମୟରେ ଅଞ୍ଚଳରେ ପ୍ରବଳ ଝଡ଼ ହୋଇଥିଲା। ଝଡ଼ର ପ୍ରଭାବରେ ଘରର ଛାତ ଉଡ଼ିଯିବା ସହ ଘରଟି ରହିବା ଉପଯୋଗୀ ହୋଇନଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।
ଘର ନଷ୍ଟ ହେବା ପରେ ୫ ମାସର ଶିଶୁ ସମେତ ପରିବାରର ସଦସ୍ୟମାନେ ଅନ୍ୟ ଜଣଙ୍କ ବାରଣ୍ଡାରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି। ବର୍ଷା ଓ ଖରାପ ପାଗ ମଧ୍ୟରେ ଘର ନଥିବାରୁ ଶିଶୁକୁ ନେଇ ପରିବାର ଚିନ୍ତାରେ ରହିଛି। ଘରର ଛାତ ନଷ୍ଟ ହୋଇଯିବାରୁ ଘରେ ଥିବା ଆବଶ୍ୟକ ସାମଗ୍ରୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି।
ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ସରକାରୀ ସହାୟତା ପହଞ୍ଚିନଥିବା ପରିବାର ଅଭିଯୋଗ କରିଛି। ତେଣୁ ପ୍ରଶାସନ ତୁରନ୍ତ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିବା ସହ ଆବଶ୍ୟକ ସହାୟତା ଯୋଗାଇଦେବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।
ବିଶେଷକରି ୫ ମାସର ଶିଶୁକୁ ନେଇ ଅସୁରକ୍ଷିତ ଅବସ୍ଥାରେ ଥିବା ପରିବାରକୁ ତୁରନ୍ତ ଥଇଥାନ କରାଯିବାକୁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି। ଏଭଳି ସ୍ଥିତିରେ ପ୍ରଶାସନ କେବେ ପରିବାର ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଉଛି, ତାହାକୁ ନେଇ ଅପେକ୍ଷା ରହିଛି।
