ମାଲକାନଗିରି/ମାଥିଲି (ଓଡ଼ିଶ୍ରୀ ସମ୍ବାଦ): ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଥିଲି ବ୍ଲକରେ ନିଯୁକ୍ତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାସଙ୍କ ବିଭିନ୍ନ ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି।
ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶିଶିର କୁମାର ଦାସ ତାଙ୍କ ଜଣାଶୁଣା ଆୟ ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗ ରହିଛି। ଏହି ଅଭିଯୋଗ ଆଧାରରେ ଭିଜିଲାନ୍ସ ଅଦାଲତଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ତଲାସ ଚାଲିଥିବା ଜଣାପଡ଼ିଛି।
ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିର ୬ଟି ସ୍ଥାନରେ ଏହି ତଲାସ ଚାଲିଛି।
ଭିଜିଲାନ୍ସ ପକ୍ଷରୁ ତଲାସ କରାଯାଉଥିବା ସ୍ଥାନଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ବରମୁଣ୍ଡାରେ ଥିବା ଚାରି ମହଲା କୋଠା, ବ୍ରହ୍ମପୁର ନୀଳାଚଳ ନଗରରେ ଥିବା ଦୁଇ ମହଲା କୋଠା, ଗଞ୍ଜାମ ଗୋବରାର ବାସୁଦେବପୁରରେ ଥିବା ଏକ ଘର, ବ୍ରହ୍ମପୁର ଗଜପତି ନଗରରେ ଥିବା ପୈତୃକ ଘର, ମାଲକାନଗିରିରେ ଥିବା ଭଡ଼ା ଘର ଏବଂ ମାଲକାନଗିରି ଡିଆର୍ଡିଏ କାର୍ଯ୍ୟାଳୟର ଚାମ୍ବର ରହିଛି।
ବର୍ତ୍ତମାନ ସୁଦ୍ଧା ତଲାସ ଓ ତଦନ୍ତ ଜାରି ରହିଥିବା ବେଳେ ଭିଜିଲାନ୍ସ ପକ୍ଷରୁ ସମ୍ପତ୍ତି ସମ୍ପର୍କିତ ଅଧିକ ତଥ୍ୟ ଯାଞ୍ଚ କରାଯାଉଛି। ଶିଶିର କୁମାର ଦାସ ଚଳିତ ମାସରେ ଅବସର ଗ୍ରହଣ କରିବାର ଥିବା ସୂଚନା ମିଳିଛି।
