ବଡ଼ଚଣା (ଓଡ଼ିଶ୍ରୀ ସମ୍ବାଦ): ଚେକ୍ ବାଉନ୍ସ ମାମଲାରେ ଚଣ୍ଡିଖୋଲସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ଜଣେ ଶିକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୨ ଲକ୍ଷ ଟଙ୍କା ଜୋରିମାନା ପୈଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ପୈଠ ନକଲେ ଅତିରିକ୍ତ ୧ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି।
ମାମଲାର ବିବରଣୀ ଅନୁଯାୟୀ, ଧର୍ମଶାଳା ଥାନା ଅନ୍ତର୍ଗତ ଜଳେଶ୍ୱର ଗ୍ରାମର ସୁଧୀର ବେହେରା ୨୦୨୧ ଅକ୍ଟୋବର ୭ ତାରିଖରେ ପାଣିକୋଇଲି ନିକଟ ପଥରପଦା ମୌଜାରେ ୮ ଡିସିମିଲ ଜମି କିଣିବା ପାଇଁ ଶିକ୍ଷକ ନିରାକାର ନାୟକଙ୍କୁ ୯ ଲକ୍ଷ ଟଙ୍କା ଦେଇଥିଲେ।
ପରେ ଜମି ଦେଇନପାରିବାରୁ ନିରାକାର ନାୟକ ୨୦୨୨ ଜାନୁଆରୀ ୧୨ ତାରିଖରେ ସୁଧୀର ବେହେରାଙ୍କୁ ୯ ଲକ୍ଷ ୯୫ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିବା ମାମଲାରେ ଦର୍ଶାଯାଇଛି। ଚେକ୍ଟି ବ୍ୟାଙ୍କରେ ଜମା କରାଯିବା ପରେ ବାଉନ୍ସ ହୋଇଥିଲା।
ଏହାପରେ ସୁଧୀର ବେହେରା ଆଇନଜୀବୀଙ୍କ ମାଧ୍ୟମରେ ଟଙ୍କା ଫେରସ୍ତ ପାଇଁ ନିରାକାର ନାୟକଙ୍କୁ ଆଇନଗତ ନୋଟିସ୍ ପଠାଇଥିଲେ। ତେବେ ନୋଟିସ୍ଟି ଗ୍ରହଣ ନକରି ଫେରାଇ ଦିଆଯାଇଥିବା ଅଭିଯୋଗ ହୋଇଛି।
ପରେ ସୁଧୀର ବେହେରା ୨୦୨୨ ଏପ୍ରିଲ ୩୦ ତାରିଖରେ ଚଣ୍ଡିଖୋଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଚେକ୍ ବାଉନ୍ସ ମାମଲା ରୁଜୁ କରିଥିଲେ। ମାମଲାଟି WCC ୭୭/୨୦୨୨ ଭାବେ ପଞ୍ଜୀକୃତ ହୋଇଥିଲା।
ମାମଲାର ବିଚାର ଶେଷରେ ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀମୟୀ ନନ୍ଦ ନିରାକାର ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।
ସୁଧୀର ବେହେରାଙ୍କ ପକ୍ଷରୁ ଚଣ୍ଡିଖୋଲ କୋର୍ଟର ଆଇନଜୀବୀ ପ୍ରତାପ କୁମାର ଦାସ ମାମଲା ପରିଚାଳନା କରୁଥିବା ବେଳେ ନିରାକାର ନାୟକଙ୍କ ପକ୍ଷରୁ ଆଇନଜୀବୀ ନିରଞ୍ଜନ ସାମଲ ମାମଲା ପରିଚାଳନା କରିଥିଲେ।
