କଟକ (ଓଡ଼ିଶ୍ରୀ ସମ୍ବାଦ): ବିଶିଷ୍ଟ ସମାଜସେବୀ ରଞ୍ଜନ ବିଶ୍ୱାଳଙ୍କ ଜନ୍ମଦିନ ଉପଲକ୍ଷେ କଟକସ୍ଥିତ ଆକବରୀ ହୋଟେଲଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଆର୍ବିଏଫ୍ ପକ୍ଷରୁ ଆୟୋଜିତ ଏହି ଶିବିରକୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଉଦ୍ଘାଟନ କରିଥିଲେ।
କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଡାକ୍ତର ଜୟନ୍ତ ପଣ୍ଡା ଏବଂ ସ୍ଥାନୀୟ କର୍ପୋରେଟର ଦୀପ୍ତି ମୁଲିଆ ଅତିଥି ଭାବେ ଯୋଗଦେଇଥିଲେ।
ମୁଖ୍ୟ ଆୟୋଜକ ରଞ୍ଜନ ବିଶ୍ୱାଳ କହିଥିଲେ ଯେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅବସରରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଉଛି। ଗତବର୍ଷ ଶିବିରରୁ ୩୦୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଚଳିତବର୍ଷ ଏହାଠାରୁ ଅଧିକ ରକ୍ତ ସଂଗ୍ରହ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ସେ ଆହୁରି କହିଥିଲେ ଯେ ଗତ ୧୦ରୁ ୧୨ ବର୍ଷ ଧରି ସେ ବିଭିନ୍ନ ରକ୍ତଦାନ ଶିବିର ସହ ଜଡ଼ିତ ଅଛନ୍ତି। ରକ୍ତର ଅଭାବ ଯୋଗୁଁ ରୋଗୀ ଓ ସେମାନଙ୍କ ପରିବାର କିପରି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତାହା ସେ ନିଜେ ଅନୁଭବ କରିଛନ୍ତି। କଟକରେ ଏକାଧିକ ଡାକ୍ତରଖାନା ଥିବାରୁ ବିଭିନ୍ନ ସମୟରେ ରକ୍ତର ଆବଶ୍ୟକତା ରହିଥାଏ। ତେଣୁ ରକ୍ତର ଅଭାବ ଦୂର କରିବା ଏବଂ ଆବଶ୍ୟକ ସମୟରେ ରୋଗୀଙ୍କୁ ରକ୍ତ ଯୋଗାଇଦେବା ଲକ୍ଷ୍ୟରେ ଏଭଳି ଶିବିର ଆୟୋଜନ କରାଯାଉଛି।
ସ୍ୱେଚ୍ଛାକୃତ ରକ୍ତଦାନ ଏକ ମହତ୍ କାର୍ଯ୍ୟ। ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
