ପୁଷ୍କରଣୀରେ ବୁଡ଼ ପକାଇ ପାଳୁଛନ୍ତି ବ୍ରତ; ରାଧାକୃଷ୍ଣ ବେଶ ଓ ନାମ ସଂକୀର୍ତ୍ତନରେ ଭକ୍ତିମୟ ମନ୍ଦିର ପରିସର
ମାଲକାନଗିରି, (ଓଡ଼ିଶ୍ରୀ ସମ୍ବାଦ): ପବିତ୍ର କାର୍ତ୍ତିକ ମାସ ଅବସରରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦେବାଳୟରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି। ବିଶେଷ କରି ମାଲକାନଗିରି ସହରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ହବିଷାଳୀଙ୍କ ଭିଡ଼ ଜମୁଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶହ ଶହ ହବିଷାଳୀ ମନ୍ଦିର ପରିସରରେ ରହି କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି।
ପ୍ରତିଦିନ ଭୋର ସମୟରେ ହବିଷାଳୀମାନେ ମନ୍ଦିର ନିକଟସ୍ଥ ପବିତ୍ର ପୁଷ୍କରଣୀରେ ବୁଡ଼ ପକାଇ ଶୁଦ୍ଧ ବସ୍ତ୍ର ପରିଧାନ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଛନ୍ତି। ଏହାପରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା, ଜପ, ତପ ଓ ବ୍ରତ ପାଳନ କରୁଛନ୍ତି। ହବିଷାଳୀଙ୍କ ଉପସ୍ଥିତିରେ ସମଗ୍ର ମନ୍ଦିର ପରିସର ଭକ୍ତିମୟ ହୋଇଉଠିଛି।
ମନ୍ଦିର କମିଟି, ଶ୍ରଦ୍ଧାଳୁ, ବ୍ୟକ୍ତିବିଶେଷ ଓ ସମାଜସେବୀଙ୍କ ମିଳିତ ସହଯୋଗରେ ପ୍ରତିଦିନ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଛି। ହବିଷାଳୀଙ୍କ ସମେତ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ମଧ୍ୟ ପ୍ରସାଦ ସେବନ କରୁଛନ୍ତି।
ମନ୍ଦିର ପରିସରରେ ଥିବା ମା’ ବୃନ୍ଦାବତୀଙ୍କ ଚଉଁରା ନିକଟରେ ମଧ୍ୟ ଏକ ଆକର୍ଷଣୀୟ ଧାର୍ମିକ ପରିବେଶ ସୃଷ୍ଟି ହୋଇଛି। ହବିଷାଳୀମାନେ ଚଉଁରା ମୂଳରେ ମୁରୁଜ ପକାଇ ବୃନ୍ଦାବତୀଙ୍କ ପୂଜା ଓ ଭୋଗ ଅର୍ପଣ କରୁଛନ୍ତି। ଏହାପରେ ସେମାନେ ରାଧାକୃଷ୍ଣ, ଦାମୋଦର ଆଦି ବେଶ ଧାରଣ କରି ନାମ ସଂକୀର୍ତ୍ତନରେ ସାମିଲ ହେଉଛନ୍ତି। ମୃଦଙ୍ଗ, କରତାଳ ଓ ହରିନାମ ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହେଉଛି।
କାର୍ତ୍ତିକ ମାସର ଶେଷ ପର୍ଯ୍ୟନ୍ତ ଏହି ଧାର୍ମିକ ଓ ଭକ୍ତିମୟ ପରିବେଶ ଜାରି ରହିବ ବୋଲି ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ସନ୍ତୋଷ କୁମାର ନନ୍ଦ ସୂଚନା ଦେଇଛନ୍ତି।
