ବଡ଼ଚଣା (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ବଡ଼ଚଣା ନିର୍ବାଚନ ମଣ୍ଡଳୀର ୨୬୧ଟି ବୁଥ୍ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏହି ଅବସରରେ ବଡ଼ଚଣା ପଞ୍ଚାୟତ ସମିତି କକ୍ଷରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ବଡ଼ଚଣା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଥିଲେ। ପ୍ରକାଶିତ ତାଲିକା ଅନୁଯାୟୀ ବଡ଼ଚଣାରେ ମୋଟ ୧,୭୬,୨୯୦ ଜଣ ଭୋଟରଙ୍କ ନାମ ରହିଥିବା ସୂଚନା ଦିଆଯାଇଛି। ଏଥିରେ ୯୨,୦୧୮ ଜଣ ପୁରୁଷ, ୮୪,୨୫୦ ଜଣ ମହିଳା ଓ ୨ ଜଣ ତୃତୀୟ ଲିଙ୍ଗର ଭୋଟର ରହିଛନ୍ତି।
ସେହିପରି ଫର୍ମ ନମ୍ବର-୬ ଜରିଆରେ ୨,୭୨୨ ଜଣଙ୍କ ନାମ ନୂତନ ଭୋଟର ତାଲିକାରେ ସାମିଲ କରାଯାଇଥିବା ସୂଚନା ମିଳିଛି।
ବଡ଼ଚଣା ବିଡିଓ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀଙ୍କ ସମେତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ବ୍ଲକ ଉପାଧ୍ୟକ୍ଷ ବିଳାସ ଚନ୍ଦ୍ର ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ଓ ଯତୀନ୍ଦ୍ର ପ୍ରସାଦ ନାୟକ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ନିରଞ୍ଜନ ସେନାପତି ଏବଂ ଏବିଡିଓ ଜ୍ଞାନଦା ନାୟକ ଉପସ୍ଥିତ ଥିଲେ। ଏଥିସହ ୨୬ ଜଣ ବୁଥ୍ ଲେଭେଲ୍ ଏଜେଣ୍ଟ ଓ ସୁପରଭାଇଜର ମଧ୍ୟ ଯୋଗଦେଇଥିଲେ।
