ମାଲକାନଗିରି (ଓଡ଼ିଶ୍ରୀ ସମ୍ବାଦ): ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ କୁଡୁମୁଲୁଗୁମ୍ମା ଗ୍ରାମପଞ୍ଚାୟତ ସଦର ମହକୁମାରେ ଏକ ଘର ଭୁଶୁଡ଼ି ପଡ଼ିଛି। ଗତକାଲି ରାତିରେ ଶ୍ରୀମତୀ ବାସନ୍ତୀ ଖେମୁଡୁଙ୍କ ଘରେ ପରିବାରର ୪ ଜଣ ଶୋଇଥିବା ସମୟରେ ହଠାତ୍ ଘରଟି ଭାଙ୍ଗି ପଡ଼ିଥିଲା। ତେବେ ଅଳ୍ପକେ ପରିବାରର ସମସ୍ତ ସଦସ୍ୟ ଅକ୍ଷତ ଭାବେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।
ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ଏବେ ତାହା ରହିବା ଉପଯୋଗୀ ହୋଇନାହିଁ। ଫଳରେ ସ୍ୱାମୀ ଶରତ ଚନ୍ଦ୍ର ଖରା, ପୁଅ ଓ ଝିଅଙ୍କୁ ନେଇ କେଉଁଠି ରହିବେ, ସେନେଇ ପରିବାର ଚିନ୍ତାରେ ପଡ଼ିଛନ୍ତି। ବର୍ତ୍ତମାନ ପରିବାରର ଚାରି ସଦସ୍ୟ ଏକ ଗଛ ମୂଳେ ଆଶ୍ରୟ ନେଇଥିବା କୁହାଯାଇଛି।
ଘର ଭାଙ୍ଗିଯିବା ପରେ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ସହ ପରିବାରକୁ ଅସ୍ଥାୟୀ ଭାବେ ରହିବା ପାଇଁ ଘର ଯୋଗାଇଦେବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ଖବର ଲେଖାଯିବା ସୁଦ୍ଧା କୌଣସି ସରକାରୀ ଅଧିକାରୀ କିମ୍ବା ଗ୍ରାମପଞ୍ଚାୟତ ପକ୍ଷରୁ ପରିବାର ନିକଟରେ ପହଞ୍ଚି ସହାୟତା କରାଯାଇନଥିବା ପରିବାର ପକ୍ଷରୁ କୁହାଯାଇଛି।
