ରାଜକନିକା (ଓଡ଼ିଶ୍ରୀ ସମ୍ବାଦ): ରାଜକନିକା ବ୍ଲକ ଅଧୀନ ଓଳାଭର ପଞ୍ଚାୟତରେ ଶୁକ୍ରବାର ‘ଏକ ପେଡ୍ ମା’ କେ ନାମ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସରପଞ୍ଚ ନହୁଷ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିନ ୧୧ଟା ସମୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା ଓ ପୁରୁଷ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ କନିକା ବିଡିଓ କୈଳାସ ମହାଳିକ, ତହସିଲଦାର ଭାନୁମତି ମାଝି, କନିଷ୍ଠ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ।
ବିଡିଓ କୈଳାସ ମହାଳିକ କହିଥିଲେ ଯେ, ପରିବେଶ ସୁରକ୍ଷା ସହ ମଣିଷର ଜୀବନ ଓ ଜୀବିକା ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଆବଶ୍ୟକ। ରୋପଣ କରାଯାଇଥିବା ଚାରାର ରକ୍ଷଣାବେକ୍ଷଣ ପଞ୍ଚାୟତ ଓ ବ୍ଲକର ମିଳିତ ସହଯୋଗରେ କରାଯିବ ବୋଲି ସେ କହିଥିଲେ।
ଏହି ଅବସରରେ ଓଳାଭର ଦେଉଳସାହି ମୁଖ୍ୟ ରାସ୍ତାରେ ଜଳ ଜମୁଥିବା ସ୍ଥାନକୁ ବିଡିଓ ଓ ତହସିଲଦାର ପରିଦର୍ଶନ କରିଥିଲେ। ଏନେଇ ଆରଡି ବିଭାଗ ସହ ଯୋଗାଯୋଗ କରାଯାଇଥିବା ଏବଂ ପାଗ ସ୍ୱାଭାବିକ ହେଲେ ସମସ୍ୟାର ସମାଧାନ କରାଯିବ ବୋଲି ବିଡିଓ କହିଥିଲେ।
ସରପଞ୍ଚ ନହୁଷ ନାୟକଙ୍କ ସୂଚନା ଅନୁଯାୟୀ, ଉକ୍ତ ସ୍ଥାନରେ ଡ୍ରେନ୍ ନିର୍ମାଣ ପାଇଁ ୨ ଲକ୍ଷ ୩୦ ହଜାର ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଛି। ତେବେ କିଛି ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ କାର୍ଯ୍ୟ ଆଗକୁ ବଢ଼ିପାରୁନଥିବା ସେ କହିଛନ୍ତି। ଏହାକୁ ନେଇ ପଞ୍ଚାୟତର ଅନେକ ଲୋକ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।
