କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): ଲଘୁଚାପଜନିତ ଲଗାଣ ବର୍ଷା ସତ୍ତ୍ୱେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ପିଛୁଳାବେଡ଼ା ବୀର ହନୁମାନ ଭାଗବତ ଟୁଙ୍ଗିରେ ଭକ୍ତମାନଙ୍କ ସମାବେଶରେ ଭାଗବତ ଜନ୍ମୋତ୍ସବ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମର ଆରମ୍ଭରେ ପୁରୋହିତ ଚନ୍ଦନ ମିଶ୍ର ଓ ପୁରାଣ ପଣ୍ଡା ତୀର୍ଥବାସୀ ମହାକୁଡ଼ଙ୍କ ସହଯୋଗରେ ଗାଦି ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଦ୍ୱାଦଶ ସ୍କନ୍ଧର ତ୍ରୟୋଦଶ ଅଧ୍ୟାୟ ପାରାୟଣ ଏବଂ ପ୍ରଥମ ସ୍କନ୍ଧର ପ୍ରଥମ ଅଧ୍ୟାୟ ପାଠ ସହ ବାର୍ଷିକ ଭାଗବତ ପାରାୟଣର ଶୁଭାରମ୍ଭ ହୋଇଥିଲା।
ଟୁଙ୍ଗି ସଭାପତି ପୂର୍ଣ୍ଣଚନ୍ଦ୍ର ପଲେଇଙ୍କ ଅଧ୍ୟକ୍ଷତାରେ ଭାଗବତ ସତସଙ୍ଗ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତିର ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଗବତ ଉପରେ ଆଲୋଚନା କରିଥିଲେ।
ଭାଗବତ ଆଚାର୍ଯ୍ୟ ବ୍ୟାସ ଓ ନନ୍ଦନ ଶୁକଦେବଙ୍କଠାରୁ ପରମାତ୍ମା ଶ୍ରୀଭଗବାନଙ୍କ ଦିବ୍ୟ ଲୀଳା ଓ ଚରିତ ଶ୍ରବଣ କରି ସମ୍ରାଟ ପରୀକ୍ଷିତ ଯେପରି ଶୁଦ୍ଧ ଅନ୍ତଃକରଣରେ ନିଜ ସ୍ୱରୂପକୁ ଅନୁଭବ କରି ପରମଗତି ଲାଭ କରିଥିଲେ, ସେହିପରି ମାନବ ସମାଜ ସଦ୍ଗୁରୁଙ୍କ ସାନ୍ନିଧ୍ୟ ଲାଭ କରି ଗୁରୁ ପ୍ରଦର୍ଶିତ ମାର୍ଗରେ ଭଜନ ଓ ସାଧନା ଦ୍ୱାରା ଆତ୍ମସ୍ୱରୂପକୁ ଅନୁଭବ କଲେ ପରମଗତି ଲାଭ କରିପାରିବେ ବୋଲି ମୁଖ୍ୟ ଅତିଥି କହିଥିଲେ।
ଏହାପରେ ଭଜନ ଓ କୀର୍ତ୍ତନ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ହେମନ୍ତ ଖିଲାର, ବିଜୟ ପରିଡ଼ା, ନଟବର ପରିଡ଼ା, ମଧୁସୂଦନ ମହାକୁଡ଼, ନୀଳାନ୍ଦ୍ରି ପରିଡ଼ାଙ୍କ ସମେତ ମମତା ପଲେଇ, ସୁମିତ୍ରା ଆରୁକ, ଗମ୍ଭାରୀ ଖିଲାର, ଦୀପାଞ୍ଜଳି ପରିଡ଼ା, ଗୌରୀ ପରିଡ଼ା, ମତି ମହାକୁଡ଼, କନକଲତା ମହାକୁଡ଼, ସୁନାଫୁଲ ପରିଡ଼ା, ହେମଲତା ନାୟକ ଓ ଲକ୍ଷ୍ମୀପ୍ରିୟା ଆରୁକଙ୍କ ସମେତ ମାତୃମଣ୍ଡଳୀର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।
