କନ୍ଧମାଳ(ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡ଼ା ପଞ୍ଚାୟତ ଅନ୍ତର୍ଗତ ବଉପଙ୍ଗା ଅନ୍ତେବାସୀ ଆବାସିକ ପ୍ରାଥମିକ ବିଦ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ଅସୁସ୍ଥ ହେବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଛାତ୍ରୀ ଅସୁସ୍ଥ ହେବା ପରେ ତାଙ୍କ ପରିବାରକୁ ତୁରନ୍ତ ସୂଚନା ଦିଆଯାଇନଥିବା ଏବଂ ଚିକିତ୍ସା ବ୍ୟବସ୍ଥାରେ ବିଳମ୍ବ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ବିଲୁରୀ ଗ୍ରାମର ବାସୁଦେବ କହଁରଙ୍କ ଝିଅ ପ୍ରଥମ ଶ୍ରେଣୀରୁ ଏହି ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଛନ୍ତି। ଗତ ୨ ତାରିଖରେ ଛାତ୍ରୀଙ୍କୁ ଜ୍ୱର ହେବା ସହ ଦେହ ଖରାପ ହୋଇଥିଲା। ତେବେ ୪ ତାରିଖରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବା ପରେ ତାଙ୍କୁ ଫୁଲବାଣୀ ଡାକ୍ତରଖାନାର ଶିଶୁ ବିଭାଗକୁ ନିଆଯାଇଥିଲା। ପରିବାରର ଅଭିଯୋଗ ଅନୁସାରେ, ଘଟଣା ସମ୍ପର୍କରେ ୫ ତାରିଖ ସକାଳେ ଡେପୁଟେସନ୍ରେ ଥିବା ଜଣେ ଶିକ୍ଷକ ଫୋନ୍ ଯୋଗେ ସୂଚନା ଦେଇଥିଲେ। ଏହାପରେ ଛାତ୍ରୀଙ୍କ ପରିବାର ବିଦ୍ୟାଳୟରେ ପହଞ୍ଚି ଝିଅର ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିଥିଲେ। ପରିବାରର ଅଭିଯୋଗ ଅନୁଯାୟୀ, ସେହି ସମୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଦୁର୍ବ୍ୟବହାର କରିଥିବା ବାସୁଦେବ କହଁର ଅଭିଯୋଗ କରିଛନ୍ତି। ଏହି ଘଟଣା ସହିତ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ (MDM) ଠିକ୍ ଭାବରେ ଦିଆଯାଉନଥିବା ନେଇ ମଧ୍ୟ ଗ୍ରାମବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏନେଇ ନିରପେକ୍ଷ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।
