• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାରିପଦାରେ ତମାଖୁମୁକ୍ତ ବିଦ୍ୟାଳୟ ଗଠନ ପାଇଁ ଶିକ୍ଷକଙ୍କୁ ତାଲିମ

Byodishri Live

Nov 1, 2026

ତମାଖୁ ଓ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନତା, ୩୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ

ବାରିପଦା (ଓଡ଼ିଶ୍ରୀ ସମ୍ବାଦ): ତମାଖୁମୁକ୍ତ ଯୁବ ଅଭିଯାନ ୪.୦ ପରିପ୍ରେକ୍ଷୀରେ ବାରିପଦାଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକଦିବସୀୟ ତମାଖୁମୁକ୍ତ ବିଦ୍ୟାଳୟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ସୁବାସ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ତମାଖୁ, ଅନ୍ୟାନ୍ୟ ନିଶାଦ୍ରବ୍ୟ ଏବଂ ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟର ବ୍ୟବହାର ଯୋଗୁଁ ସୃଷ୍ଟି ହେଉଥିବା କୁପ୍ରଭାବ ସମ୍ପର୍କରେ ଶିକ୍ଷକମାନଙ୍କୁ ସଚେତନ କରାଯାଇଥିଲା। ଏହି ଅଭ୍ୟାସ ମାରାତ୍ମକ ରୋଗର କାରଣ ହେବା ସହ ବ୍ୟକ୍ତି ଓ ତାଙ୍କ ପରିବାରର ଭବିଷ୍ୟତକୁ ପ୍ରଭାବିତ କରିଥାଏ ବୋଲି ଆଲୋଚନା କରାଯାଇଥିଲା।

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ତମାଖୁ ସେବନର କୁପ୍ରଭାବ ବିଷୟରେ କିପରି ସଚେତନ କରାଯିବ ଏବଂ ନିଜ ବିଦ୍ୟାଳୟକୁ ତମାଖୁମୁକ୍ତ ଭାବେ ଗଢ଼ି ତୋଳାଯିବ, ସେ ସମ୍ପର୍କରେ ଡ. ସୁବାସ ଚନ୍ଦ୍ର ନାୟକ ଆଲୋକପାତ କରିଥିଲେ। ଏଥିସହ ତମାଖୁ ଦ୍ରବ୍ୟର ବ୍ୟବହାରରୁ ନିଜେ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିରୁ ନିବୃତ୍ତ ରହିବାକୁ ପ୍ରେରିତ କରିବା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ।

ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୩୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ଓ ଯୋଗାଯୋଗ ଅଧିକାରୀ ଏବଂ ପ୍ରୋଗ୍ରାମ ମ୍ୟାନେଜରମାନେ ଯୋଗଦେଇଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ଆଗାମୀ ଦୁଇ ଦିନ ଧରି ଜାରି ରହିବ ବୋଲି ସୂଚନା ଦିଆଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ସୁନନ୍ଦା ମିଶ୍ର, ଜିଲ୍ଲା ଅଣସଂକ୍ରାମକ ରୋଗ ବିଭାଗର ଡ. ଜ୍ଞାନେନ୍ଦ୍ର କୁମାର ମହାନ୍ତି, ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ଯୋଗାଯୋଗ ଅଧିକାରୀ ଧନୁ ମୁର୍ମୁ ଏବଂ ଶିକ୍ଷା ବିଭାଗର ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଅଣସଂକ୍ରାମକ ରୋଗ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *