ନିର୍ମାଣ ସ୍ଥାନ ପରିବର୍ତ୍ତନ ଦାବିରେ ତହସିଲଦାର ଓ ବିଇଓଙ୍କୁ ଦାବିପତ୍ର ପ୍ରଦାନ
ବରୀ, (ଓଡ଼ିଶ୍ରୀ ସମ୍ବାଦ): ଗ୍ରାମବାସୀଙ୍କୁ ମଧୁର ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅଧୀନରେ ନିର୍ମାଣ ହେଉଥିବା ପାଣିଟାଙ୍କିକୁ ନେଇ ବିବାଦ ଦେଖାଦେଇଛି। ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରର ଖେଳପଡ଼ିଆରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହାକୁ ଗ୍ରାମବାସୀ ଓ ଅଭିଭାବକମାନେ ବିରୋଧ କରିଛନ୍ତି। ପାଣିଟାଙ୍କି ନିର୍ମାଣ ସ୍ଥାନ ପରିବର୍ତ୍ତନ ଦାବିରେ ସେମାନେ ବରୀ ତହସିଲଦାର ଓ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧୀନ ଅରିକଣା ବେଞ୍ଜରାପୁର ନୋଡାଲ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରର ଖେଳପଡ଼ିଆରେ ପାଣିଟାଙ୍କି ନିର୍ମାଣ ଆରମ୍ଭ ହୋଇଛି। ଏହାଦ୍ୱାରା ବିଦ୍ୟାଳୟ ଓ ଅଙ୍ଗନବାଡ଼ିକୁ ଆସୁଥିବା କୁନି କୁନି ଛାତ୍ରଛାତ୍ରୀଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଠିକାଦାର ବାଲି, ମାଟି ଓ ଗୋଡ଼ି ରାସ୍ତାରେ ଗଦା କରି ବିଦ୍ୟାଳୟକୁ ଯିବା ରାସ୍ତା ଅବରୋଧ କରିଥିବା ମଧ୍ୟ ଅଭିଯୋଗ ହୋଇଛି।
ଏଥିସହ ପାଣିଟାଙ୍କି ନିର୍ମାଣ ପାଇଁ ଖୋଳାଯାଇଥିବା ସ୍ଥାନରୁ ମାଟି ଉଠାଇ ବିକ୍ରି କରାଯାଉଥିବା ନେଇ ମଧ୍ୟ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଖେଳପଡ଼ିଆ ପରିବର୍ତ୍ତେ ଅନ୍ୟ ସ୍ଥାନରେ ପାଣିଟାଙ୍କି ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି।
ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଆଇନଜୀବୀ ଜ୍ଞାନରଞ୍ଜନ ମଲ୍ଲିକ ବରୀ ତହସିଲଦାର ଓ ବିଇଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିର ତୁରନ୍ତ ବିଚାର କରାନଗଲେ କେତେକ ବରିଷ୍ଠ ଗ୍ରାମବାସୀ ଆତ୍ମାହୁତି ଦେବାକୁ ଧମକ ଦେଇଥିବା ଆଇନଜୀବୀ ଶ୍ରୀ ମଲ୍ଲିକ କହିଛନ୍ତି।
ଏ ସମ୍ପର୍କରେ ବରୀ ତହସିଲଦାର ଦୀପ୍ତିମୟୀ ବେହେରାଙ୍କୁ ପଚାରିବାରୁ, ଘଟଣାର ତଦାରଖ କରାଯାଇ ତୁରନ୍ତ ବିଚାର କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ବିଦ୍ୟାଳୟକୁ ଯାତାୟାତ ସମୟରେ ଛାତ୍ରଛାତ୍ରୀଙ୍କ ସହ କୌଣସି ଅଘଟଣ ଘଟିଲେ ପ୍ରଶାସନ ଦାୟୀ ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
