କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆନୁକୂଲ୍ୟରେ ସ୍ଥାନୀୟ ଗୋବିନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ‘ସେବା ସଂକଳ୍ପ ଦିବସ-୨୦୨୬’ ପାଳିତ ହୋଇଯାଇଛି।
ଏହି ଅବସରରେ କେନ୍ଦୁଝର ସଦର ବ୍ଲକ ଓ ପୌରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ‘ସେବା ସଂକଳ୍ପ ଦିବସ’ର ମହତ୍ତ୍ୱ ସମ୍ପର୍କରେ ଅବଗତ ହୋଇଥିଲେ।
ପୁରସ୍କାର ବିତରଣୀ ଉତ୍ସବରେ କେନ୍ଦୁଝର ସଦର ବ୍ଲକର ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନସରଞ୍ଜନ ମିଶ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓଁକାର ଅନ୍ବେଷ ଯୋଗଦେଇ ସେବା ସଂକଳ୍ପ ଦିବସର ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ। ଏଥିସହ ‘ବିକଶିତ ଭାରତ’ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳଚନ୍ଦ୍ର ଦାସ ଓ ତରଣୀସେନ ମୁଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ଦାଶ ଯୋଗଦେଇଥିଲେ। ହଳଦିଆଟାଙ୍ଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ମହାନ୍ତ ଓ କାଉଁରିକଳା ପିଏମ୍-ଶ୍ରୀ ଜିପି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଫଳ ଦେହୁରୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁ ସମଗ୍ର କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଧୋବାଡିହା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜିକା ଲକ୍ଷ୍ମୀପ୍ରିୟା ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜନାର୍ଦ୍ଦନପୁରର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶିରିଶପାଳ ଆଞ୍ଚଳିକ ସାଧନ କେନ୍ଦ୍ରର ଭାରପ୍ରାପ୍ତ ସଂଯୋଜକ ସୁଧାଂଶୁ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ସିଆରସିସି ଏବଂ ଗୋବିନ୍ଦପୁର ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।
